Latest Odisha News

BREAKING NEWS

ଛତିଶଗଡ଼ରେ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ସବୁ ପ୍ରୟାସ କରୁଛି। ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସହ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର କରାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଦଳର ପୁରୁଣା ରୋଗ ମନେ ପଡିଛି।

ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର ଟି ଏସ ସିଂଦେଓଙ୍କ ଏକ ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଛି। ବିଜେପି ସମେତ ଅନ୍ୟାନ୍ୟ ଦଳ ତାଙ୍କୁ ଦଳ ବଦଳାଇବା ପାଇଁ କହୁଛନ୍ତି। କିନ୍ତୁ ସେ କଂଗ୍ରେସ ଛାଡିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ଯାହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି।

ସିଂଦେଓଙ୍କର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସହ ଲଢେ଼ଇ ବହୁ ଦିନ ଧରି ଚାଲିଛି। ଏପରିକି ଗତ ବର୍ଷ ଜୁଲାଇ ମାସରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଥିଲେ। କିନ୍ତୁ ପରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ମନ୍ତ୍ରୀ ପଦ ସମ୍ଭାଳିଥିଲେ ସିଂଦେଓ।

ତେଣୁ ଛତିଶଗଡ଼ରେ ବିଜେପି ଅପରେସନ ଲୋଟସ ଚଳାଉଥିବା ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ମଧ୍ୟ ବିଜେପି ଯୋଗାଯୋଗ କରିବା ସହ ବିଜେପିରେ ଯୋଗ ଦେବାକୁ ଅଫର ଦେଇଥିବା ସିଂଦେଓ କହିଛନ୍ତି। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ କଂଗ୍ରେସ ଛାଡିବେନି ବୋଲି କହିଛନ୍ତି।

ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି। ଅମ୍ବିକାପୁରରେ ଆୟୋଜିତ କଂଗ୍ରେସର ଆଞ୍ଚଳିକ ଦଳୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇ ସିଂଦେଓ ଏ କଥା କହିଛନ୍ତି।

ତାଙ୍କୁ ବିଜେପି ଓ ଅନ୍ୟ ବିରୋଧୀ ଦଳ ଗୁଡିକ ସେମାନଙ୍କ ପକ୍ଷକୁ ନେବାକୁ ବହୁ ଚେଷ୍ଟା କରୁଥିବା ସେ କହିଛନ୍ତି। ଏ ପ୍ରସଙ୍ଗକୁ ନେଇ ଛତିଶଗଡ଼ କଂଗ୍ରେସ ସଭାପତି ମୋହନ ମରକମ ପ୍ରତିକ୍ରିୟା ରଖିଛନ୍ତି।

ସିଂଦେଓ ଦଳର ଜଣେ ବରିଷ୍ଠ ନେତା। ବିଜେପି ତାଙ୍କୁ ଦଳକୁ ନେବାକୁ ଚାହିଁଲେ ମଧ୍ୟ ଦଳର ଜଣେ ସଚ୍ଚା ସୈନିକ ହୋଇଥିବାରୁ ସେ ଦଳ ଛାଡିବେ ନାହିଁ ବୋଲି ମର୍କମ କହିଛନ୍ତି।

ଏପରିକି ଛତିଶଗଡ଼ରେ ବିଜେପିର ଅପରେସନ ଲୋଟସ ସଫଳ ହେବନି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ଼ ନିର୍ବାଚନ ଥିବାବେଳେ ବିଜେପିର ଅପରେସନ ଲୋଟସକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ କଂଗ୍ରେସ ସରକାରକୁ ବିଜେପି ଭାଙ୍ଗିବାକୁ ଚାହୁଁଚି କି ବୋଲି ପ୍ରଶ୍ନ ଉଠିଛି। ସେପଟେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ଟି ଏସ ସିଂଦେଓଙ୍କ ମଧ୍ୟରେ ଲଢେ଼ଇ ଦୀର୍ଘ ଦିନର ହୋଇଥିବା ବେଳେ ଏଭଳି ସ୍ଥିତିରେ ଏହା କେଉଁ ରୂପ ନେବ ଓ ବିଜେପି ସେଥିରୁ କେତେ ଫାଇଦା ଉଠାଇପାରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.