Latest Odisha News

BREAKING NEWS

ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?

ଭାଗ – ୧୧ 

ଓଡ଼ିଶାର ଘରେ ଘରେ ଯାହାର ଆଦର ବଢ଼ି ଚାଲିଛି ତା କ’ଣ ? ତା’ ହେଉଛି ଆପଣଙ୍କ ପ୍ରିୟ ପତ୍ରିକା ‘ଚିତ୍ରପୁରୀ’ ।

ଏହା ୧୯୬୬ ମସିହାର ଅକ୍‌ଟୋବର ମାସ ୨ ତାରିଖରେ ସମାଜରେ ପ୍ରକାଶିତ ବିଜ୍ଞାପନର ଲେଖା । ତୃତୀୟ ପୃଷ୍ଠାରେ ବିଜ୍ଞାପନ ପ୍ରକାଶିତ । ତତ୍କାଳୀନ ସର୍ବାଧିକ ପ୍ରସାରିତ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ରେ କୌଣସି ଚଳଚ୍ଚିତ୍ର ପତ୍ରିକାର ବିଜ୍ଞାପନ ପ୍ରକାଶିତ ହେବା ଅର୍ଥ ସଂପୃକ୍ତ ପତ୍ରିକା ରୁଚି ଓ ଆର୍ଥିିକ ଦୃଷ୍ଟିରୁ ସମୃଦ୍ଧ ନିଶ୍ଚୟ । ଲୋକପ୍ରିୟତାର ଶୀର୍ଷକୁ ଆରୋହଣ କରୁ ନଥିଲେ ଏହି ଢଙ୍ଗରେ ବିଜ୍ଞାପନ ଦେବାର ସ୍ପର୍ଦ୍ଧା ହେବ ନାହିଁ ।

ସ୍ପର୍ଦ୍ଧା ଓ ଲୋକପ୍ରିୟତା ଦୃଷ୍ଟିରୁ ‘ଚିତ୍ରପୁରୀ’ ଥିଲା ଶୀର୍ଷରେ । ପତ୍ରିକାରେ ବିଷୟବସ୍ତୁ ଯାହା ଥିଲା ତାହା ପଛ କଥା, ଆଗ କଥା ହେଉଛି କଳେବର ଓ ପ୍ରଚାର ଏବଂ ବିଜ୍ଞାପନ ସଂଗ୍ରହରେ ‘ଚିତ୍ରପୁରୀ’ ଗୋଟିଏ ଦୂରଗାମୀ ମାର୍ଗ ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ସମୟରେ ସେହି ମାର୍ଗରେ ଯିବାପାଇଁ ଅନ୍ୟ ପତ୍ରିକାସବୁ ବାଧ୍ୟ ହୋଇଥିଲେ । ଓଡ଼ିଆ ପତ୍ରିକାର ଋଢ଼ିବାଦୀ ଆଡ଼ମ୍ବରକୁ ତେଜ୍ୟ କରି ଯେତେବେଳେ ଯାହା ଇଚ୍ଛା ହେଲା ତାହା ହିଁ ‘ଚିତ୍ରପୁରୀ’ର କଳେବର ହେଲା । କଳେବର ଅର୍ଥ ଏଠି ମୁଁ ଆକାର କଥା କହୁଛି । ଯେତେବେଳେ ବମ୍ବେରୁ ହାତଲେଖା ହୋଇ ‘ଚିତ୍ରପୁରୀ’ ପ୍ରକାଶିତ ହେଲା ତାହାର ଆକାର ଥିଲା ଏ/୪ ଟେବଲେଏଡ୍ ଅର୍ଥାତ ୧୧ ଇଞ୍ଚ ଦୈର୍ଘ୍ୟ ଓ ୧୭ ଇଞ୍ଚ ପ୍ରସ୍ଥ । କଟକରୁ ମୁଦ୍ରିତ ହୋଇ ପ୍ରକାଶିତ ହେବା ସମୟରେ ପ୍ରଥମ ଆକାର ଥିଲା ୮. ୫ ଇଞ୍ଚ ଦୈର୍ଘ୍ୟ ଓ ୫.୫ଇଞ୍ଚ ପ୍ରସ୍ଥ । ତେବେ ବିଭିନ୍ନ ସମୟରେ ବିଭିନ୍ନ ଆକାରରେ ‘ଚିତ୍ରପୁରୀ’ ପ୍ରକାଶିତ ହେବା ପାଠକ ମହଲରେ ଯେତେ ଦ୍ୱନ୍ଦ୍ୱ ସଷ୍ଟି କରୁଥିଲା ସେତେ ଆଗ୍ରହ ମଧ୍ୟ ।

ପ୍ରଥମେ ସାଧାରଣ ଭାବରେ ୮. ୫ ଇଞ୍ଚ ଦୈର୍ଘ୍ୟ ଓ ୫.୫ ଇଞ୍ଚ ପ୍ରସ୍ଥ କେତେକ ସଂଖ୍ୟା ପ୍ରକାଶିତ ହେବା ପରେ ଏକ ଅପରମ୍ପରିକ ଆକାର ୭ ଇଞ୍ଚ ଦୈର୍ଘ୍ୟ ଓ ୪ ଇଞ୍ଚ ପ୍ରସ୍ଥରେ ବି ପ୍ରକାଶିତ ହେଲା । ବେଳେବେଳେ ଏକଦମ୍ ଅପାରମ୍ପରିକ ଆକାରରେ ବି ପ୍ରକାଶିତ ହେଲା, ଯେଉଁ ପତ୍ରିକା ଆକାର କେହି କେବେ ଭାବି ହିଁ ନ ଥିବେ ବା ସେମିତି ଆକାରରେ ପତ୍ରିକା ଆଗରୁ ପ୍ରକାଶିତ ହୋଇ ନ ଥିବ । ଯେମିତିକି ୪ ଇଞ୍ଚ ଦୈର୍ଘ୍ୟ ଓ ୫ ଇଞ୍ଚ ପ୍ରସ୍ଥ । କେବେ କେବେ ପୁଣି ୮.୨୭ ଇଞ୍ଚ ଦୈର୍ଘ୍ୟ ଓ ୧୧.୬୯ ଇଞ୍ଚ ପ୍ରସ୍ଥ, ବଡ଼ ଆକାର ପତ୍ରିକା ।

‘ଚିତ୍ରପୁରୀ’ ଯେପର୍ଯ୍ୟନ୍ତ ପ୍ରକାଶିତ ହୋଇଛି ଏତେ ଭିନ୍ନ ଭିନ୍ନ ଆକାରରେ ପ୍ରକାଶିତ ହୋଇଛି ଯେ ସମ୍ଭବତଃ ଅନ୍ୟ କୌଣସି ପତ୍ରିକା ଇତିହାସରେ ଯେମିତି ହୋଇ ନଥିବ । ଏହାପଛରେ ସମ୍ଭବତଃ ଏକମାତ୍ର କାରଣ ଏହା ହୋଇପାରେ ବିଭିନ୍ନ କଟିଂ ପେପର୍‌କୁ ସମ୍ପାଦକ ତଥା ପ୍ରକାଶକ ଭିନ୍ନ ଭିନ୍ନ ସମୟରେ ବ୍ୟବହାର କରୁଥିଲେ । ଯେଣୁ ସେ ବିଭିନ୍ନ ସମ୍ବାଦପତ୍ରର ବଳକା ନ୍ୟୁଜ୍ ପ୍ରିଣ୍ଟ କିଣୁଥିଲେ ଏବଂ ସେଥିରେ ‘ଚିତ୍ରପୁରୀ’ ଛାପୁଥିଲେ ଏଣୁ ସେହି ପ୍ରିଣ୍ଟ ଏକ ନିଦ୍ଦିଷ୍ଟ ଆକାରର ହେଉଥିଲା । ଏହି ଆକାର ପ୍ରାୟତଃ ପୂଜା ସଂଖ୍ୟାରେ ପ୍ରକାଶିତ ହେଉଥିଲା । ବାକି ସମୟରେ ଆକାର ଛୋଟ ବଡ଼ ବା ଭିନ୍ନ ଭିନ୍ନ ହେବାର କାରଣ ହେଉଛି ପ୍ରେସରେ ରଦ୍ଦି ଭାବେ ଥିବା କଟିଂ କାଗଜର ବ୍ୟବହାର । କଟିଂ କାଗଜରେ ପ୍ରିଣ୍ଟ କଲାବେଳେ ଯେତେବେଳେ ଯେଉଁ ଆକାର ହେଲା, ସେହି ଆକାରରେ ଛପାଗଲା । ସେଥିପାଇଁ ‘ଚିତ୍ରପୁରୀ’ ଏକ ନିର୍ଦ୍ଦିଷ୍ଟ ପ୍ରେସରେ ଛପା ହେଉ ନଥିଲା । କେତେବେଳେ ଲିପିକା ପ୍ରେସ୍‌ରେ ତ କେତେବେଳେ ପ୍ରକାଶ ପ୍ରିଣ୍ଟର୍ସରେ, ଭିନ୍ନଭିନ୍ନ ଆକାରର ସଂଖ୍ୟା ଭିନ୍ନଭିନ୍ନ ପ୍ରେସ୍‌ରେ ଛପା ହେଉଥିଲା ।

‘ଚିତ୍ରପୁରୀ’ ଆଉ ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଆକାର ଓ କଳେବରରେ ଛପା ହେଉଥିଲା ସତୁରି ଦଶକର ଆରମ୍ଭରେ । ସମ୍ଭବତଃ ସମଗ୍ର ବିଶ୍ୱରେ ଏପରି କେବେ କୌଣସି ପତ୍ରିକା ପ୍ରକାଶିତ ହୋଇ ନଥିବ । ଧରାଯାଉ ସମଗ୍ର ପତ୍ରିକାର ସଂଖ୍ୟା ୩୭୦ । ଅତଏବ ୧ରୁ ୧୮୫ ପୃଷ୍ଠା ଛପା ଯାଇଥିବ ସିଧା ଆଉ ଆଉ ଏକ ଫର୍ଦ୍ଦରେ ପୁଣି ୧ରୁ ୧୮୫ ଛପା ଯାଇଥିବ ଓଲଟା । ପତ୍ରିକାର ଦୁଇଟି ପ୍ରଚ୍ଛଦ ଥିବ । ‘ଚିତ୍ରପୁରୀ’ର ଏହି ଅଭିନବ ଛପା ଫର୍ମୁଲା ଅନେକ ବର୍ଷ ପରେ ଦକ୍ଷିଣ ଭାରତୀୟ ପତ୍ରିକାରେ ପ୍ରଚଳିତ ହେଲା । ‘ଚିତ୍ରପୁରୀ’ ସେମାନଙ୍କୁ ପ୍ରଭାବିତ କଲା । କେମିତି କଲା ସେ ଆଉ ଏକ ଗଳ୍ପ । କିନ୍ତୁ ‘ଚିତ୍ରପୁରୀ’ କାହିଁକି ଓଲଟା ସଧା ଛାପିଲା ଓ କେବେଠାରୁ ଛାପିଲା ତାହା ଆହୁରି ରୋଚକ ଗଳ୍ପ । ପ୍ରକାଶନ ଶିଳ୍ପର ଏହି ଅଦ୍ଭୁତ ଅଥଚ ଚମତ୍କାର ଶୈଳୀରେ ପ୍ରଚ୍ଛଦରେ ଥିଲେ ଦୁଇଜଣ ସଙ୍ଗୀତ ଶିଳ୍ପୀ । ପ୍ରଫୁଲ୍ଲ କର ଓ ପ୍ରଣବ ପଟ୍ଟନାୟକ ।

ଆଗରୁ କହିଛି, ‘ଚିତ୍ରପୁରୀ’ ତାହାର ପ୍ରଚ୍ଛଦରେ ଓଡ଼ିଆ ଚଳଚ୍ଚିତ୍ରର ବିଜ୍ଞାପନ ଛାପୁଥିଲା । ଯେତେବେଳେ ଓଡ଼ିଆ ଚଳଚ୍ଚିତ୍ର ନାହିଁ କିମ୍ବା ନିକଟ ଭବିଷ୍ୟତରେ ମୁକ୍ତିଲାଭ କରିବାର ନାହିଁ ସେତେବେଳେ ଓଡ଼ିଆ ନାୟକ, ନାୟିକା ଓ ସଂଗୀତ ଶିଳ୍ପୀ ବା ଚଳଚ୍ଚିତ୍ର ସଂପର୍କିତ ବ୍ୟକ୍ତିତ୍ୱଙ୍କ ଛବି ପ୍ରଚ୍ଛଦରେ ରହୁଥିଲା । ‘ଚିତ୍ରପୁରୀ’ କେବେ ହିନ୍ଦୀ ଚଳଚ୍ଚିତ୍ରର ବିଜ୍ଞାପନ ପ୍ରଚ୍ଛଦରେ ଛାପି ନାହିଁ କି ହିନ୍ଦୀ ତାରକାଙ୍କୁ ପ୍ରଚ୍ଛଦରେ ସ୍ଥାନିତ କରିନାହିଁ ।

ଚିତ୍ରପୁରୀର ୧୫ଶ ବର୍ଷର୍, ୧୧ଶ ସଂଖ୍ୟା! ପୂଜାସଂଖ୍ୟା ୧୯୭୩!

ସେତେବେଳେ ତିନିବର୍ଷ ହେଲା କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିନାହିଁ । ଏଣୁ ପ୍ରଚ୍ଛଦରେ କୌଣସି ତାରକାଙ୍କୁ ସ୍ଥାନିତ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଦୁଇଜଣ ତାରକା ‘ଚିତ୍ରପୁରୀ’କୁ ଆର୍ଥିକ ସହାୟତା କଲେ ଅର୍ଥାତ ବିଜ୍ଞାପନ ଯୋଗାଡ଼ କରିଦେଲେ । ପ୍ରକାଶକ ତଥା ସମ୍ପାଦକ ବି ସେମାନଙ୍କୁ ପ୍ରତିଶ୍ରୁତି ଦେଲେ ଯେ ସେମାନଙ୍କ ଛବି ପ୍ରଚ୍ଛଦରେ ରହିବ କିନ୍ତୁ ପ୍ରଚ୍ଛଦ ତ ଗୋଟିଏ! ଏଣେ ଦୁଇଜଣଙ୍କ ସୌଜନ୍ୟରୁ ମିଳିଥିବା ବିଜ୍ଞାପନ ସେହି ସଂଖ୍ୟାରେ ଛପା ହେବାକୁ ବାଧ୍ୟ । ଅତଏବ ପ୍ରଚ୍ଛଦରେ ବି ସେମାନଙ୍କ ଛବି ଛପା ହେବାକୁ ବାଧ୍ୟ, ସେମାନଙ୍କ ସମ୍ବନ୍ଧିତ ଲେଖା ବି ଛପା ହେବାକୁ ବାଧ୍ୟ । ଏହି ବାଧ୍ୟତାମୂଳକ ପରିସ୍ଥିତିରୁ ପତ୍ରିକାକୁ ସିଧା ଓଲଟା କରି ଛପାଗଲା, ଦୁଇଟି ପ୍ରଚ୍ଛଦ କରାଗଲା । ଏବଂ ଜନ୍ମ ନେଲା ଦୁଇଟି ସାମ୍ନା ପ୍ରଚ୍ଛଦ ଥିବା ପୃଥିବୀର ପ୍ରଥମ ପତ୍ରିକା: ‘ଚିତ୍ରପୁରୀ’!
ଏକ ପାଖରେ ଛପାଗଲା ପ୍ରଫୁଲ୍ଲ କରଙ୍କ ଛବି, ଅନ୍ୟ ପାଖରେ ପ୍ରଣବ ପଟ୍ଟନାୟକଙ୍କ ଛବି ।

କ୍ରମେ ଏହି ଫର୍ମୁଲାକୁ ପ୍ରକାଶକ ତଥା ସମ୍ପାଦକ ଭିନ୍ନ ଭିନ୍ନ ଚଳଚ୍ଚିତ୍ର ବିଜ୍ଞାପନ ପାଇଁ ମଧ୍ୟ ବ୍ୟବହାର କଲେ । ଏମିତି ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କରାମତି ଥିଲା ‘ଚିତ୍ରପୁରୀ’ର । ପରବର୍ତ୍ତୀ ସଂଖ୍ୟାରେ ସେସବୁର ଚର୍ଚ୍ଚା ଅବ୍ୟାହତ ରହିବ । ଏହି ସଂଖ୍ୟା ସହ ସଂଯୁକ୍ତ ହୋଇଛି ସେହି ପ୍ରଥମ ଓଲଟା ସିଧା ପ୍ରଚ୍ଛଦର ଛବି, ଏକପାଖରେ ପ୍ରଫୁଲ୍ଲ କର ଓ ଆରପାଖରେ ପ୍ରଣବ ପଟ୍ଟନାୟକ! ଏହା ସହିତ ସମାଜରେ ପ୍ରକାଶିତ ‘ଚିତ୍ରପୁରୀ’ର ବିଜ୍ଞାପନ ଛବି ମଧ୍ୟ ଲେଖା ସହ ସଂଯୁକ୍ତ ହୋଇଛି ।

Leave A Reply

Your email address will not be published.