ଅନୁଗୁଳୁ: ଛେଣ୍ଡିପଦା ଅନ୍ତର୍ଗତ ପାତ୍ରପଡ଼ାରେ ଚାଲିଥିଲା ବେଆଇନ ଚିଡ଼ିଆଖାନା। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖିବା ପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବନ ରେଞ୍ଜ ଅଧିକାରୀ ବର୍ତ୍ତମାନ ସମସ୍ତ ପ୍ରାଣୀମାନଙ୍କୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ ଏଠାରେ ବିନା ଲାଇସେନ୍ସରେ ଚାଲିଥିଲା ଚିଡ଼ିଆଖାନା। ମୋଟ ୪ଟି ଚଉଶିଙ୍ଗା ହରିଣ ଏବଂ ମୟୂରଙ୍କୁ ଜାଲି ଘର ଭିତରେ ରଖି ଦର୍ଶକ ମାନଙ୍କ ପାଇଁ ଦେଖିବାକୁ ବ୍ୟବସ୍ଥା ହୋଇଥିଲା। ଗୋଟିଏ ଘରେ କୁଟୁରା ସାଙ୍ଗକୁ ଗୋଟିଏ ମୟୂର ମଧ୍ୟ ରଖାଯାଇଥିଲା। ଯାହା ସମ୍ପୂର୍ଣ୍ଣ ଅବୈଜ୍ଞାନିକ। ପୃଥିବୀର କୌଣସି ଚିଡ଼ିଆଖାନାରେ ହରିଣଙ୍କ ସହିତ ମୟୂରଙ୍କୁ ଆବଦ୍ଧ କରି ରଖାଯାଇ ନାହିଁ। ଉଭୟଙ୍କ ସ୍ବାସ୍ଥ୍ୟ ପ୍ରତି ଘୋର ବିପଦ।
ଏହି ବେଆଇନ ଚିଡିଆଖାନାକୁ ବନ୍ଦ କରିବା ପାଇଁ ରାଜ୍ୟର ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନଙ୍କ ସହିତ, କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଏବଂ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଇମେଲ ଜରିଆରେ ଚିଠି ଲେଖିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ। ଏହାସହ ଚିଡିଆଖାନାର ଫୋଟୋ ଏବଂ ଭିଡ଼ିଓକୁ ପ୍ରମାଣ ସ୍ବରୂପ ଦାଖଲ କରିଥିଲେ।
ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ୍, 1972 ର ଗୁରୁତ୍ତ୍ଵପୂର୍ଣ୍ଣ Section 9 ଏବଂ Section 38H ର ଖୋଲା ଉଲ୍ଲଙ୍ଘନ ହେଉଥିବା ପ୍ରମାଣିତ କରି, ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶୁଭେନ୍ଦୁ ମଲ୍ଲିକ। ବର୍ତ୍ତମାନ ଏହି ଘଟଣାରେ ସ୍ଥାନୀୟ ବନ ରେଞ୍ଜ ଅଧିକାରୀ ହସ୍ତକ୍ଷେପ କରି ଉକ୍ତ ପ୍ରାଣୀମାନଙ୍କୁ ଉଦ୍ଧାର କରିଛନ୍ତି।
Comments are closed.