Latest Odisha News

BREAKING NEWS

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୩୮୯ଟି ସ୍କୁଲ ଲୋକାର୍ପିତ ହୋଇଛି। ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡ଼ାର ୧୧, ଜଗତସିଂହପୁରର ୫୭, କେନ୍ଦ୍ରାପଡ଼ାର ୧୧୨, ବରଗଡ଼ର ୬୦ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ।

ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଏହି କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌, ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଗଞ୍ଜାମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଝାରସୁଗୁଡାରେ ବିଧାୟିକା ଦିପାଳୀ ଦାସ, ଜଗତସିଂହପୁରରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କେନ୍ଦ୍ରାପଡାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରଗଡରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.