Latest Odisha News

BREAKING NEWS

ଆହୁରି ସହଜ ହେବ ଜଗା ଦର୍ଶନ, ପୁରୀକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଗୁଡିକ ଜିଲ୍ଲା ସଦରମହକୁମା ରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ । ଯାହାର ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି । ଏହା ମା’ ମାନଙ୍କ ପାଇଁ ବହୁ ସୁବିଧା ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

5-T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ । ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ।

ରାଜ୍ୟବାସୀଙ୍କୁ ପୁରୀ ଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି । ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି । ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ ସେବା ଆରମ୍ଭ ହେଲା । ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଏବେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି । ଆମର ଲୋକପ୍ରିୟ ଲକ୍ଷ୍ମୀ ବସ ଯୋଜନାରେ ଆମେ ପଞ୍ଚାୟତକୁ ବ୍ଲକ ସଦର ମହକୁମା ସହିତ ଯୋଡ଼ିଛୁ । ଯୋଗାଯୋଗ କ୍ଷେତ୍ରରେ ଲକ୍ଷ୍ମୀ ବସ ଏବେ ରୂପାନ୍ତର ଆଣିଛି । ଜିଲ୍ଲା ସଦରମହକୁମାରୁ ଶ୍ରୀକ୍ଷେତ୍ରକୁ ସିଧା ସଳଖ ବସ୍‌ ବ୍ୟବସ୍ଥା ଦ୍ୱାରା ରାଜ୍ୟର ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭକରିବାର ସୌଭାଗ୍ୟ ଅର୍ଜନ କରିବାରେ ଏହି ବସ୍‌ସେବା ସହାୟତା ପ୍ରଦାନ କରିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶର ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.