Latest Odisha News

BREAKING NEWS

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅତିରିକ୍ତ ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଛତିଶଗଡ଼ ସୀମାନ୍ତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିବା ସହ ଆଉ କେଉଁ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିବେ । ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀ, କୋଭିଡ୍ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ସହ କଥା ହେବେ ।

ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲାରେ ୪୫ ଜଣ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହାଜର ୪୦ରେ ପହଞ୍ଚିଛି । ଜିଲ୍ଲାରେ ଏବେ ୫୩୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିଭଳି ନୂଆପଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୫୩୪କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୪୪୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଚିକିତ୍ସା ଚାଲିଛି ।

ଛତିଶଗଡ଼ରେ ସଂକ୍ରମଣ ମାମଲା ବଢ଼ିବା ପରେ ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଜିଲ୍ଲାର ବର୍ଡରରେ ଚେକ୍ ପଏଣ୍ଟ କରିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ୭୨ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ଏସବୁ ନଥିଲେ ୭ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଛତିଶଗଡ଼ ସହ ସାଧାରଣ ପରିବହନ ସେବାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି ।

Leave A Reply

Your email address will not be published.