Latest Odisha News

BREAKING NEWS

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ; ମେଡିକାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜେନାପୁର ଥାନା ପନ୍ତୁରୀ ଗ୍ରାମର ସୁର ମଲ୍ଲିକଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ଶନିବାର ଦିନ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେହିନିଦ ମଧ୍ୟ ରାତ୍ରରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମ ବେଳେ ଠିକଥିବା ଶିଶୁଟି ରବିବାର ବିଳମ୍ବିତ ରାତିରେ ହଠାତ ଅସୁସ୍ଥ ହୋଇପଡିଥିଲା । ତେବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଦେଖି ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ । ହେଲେ ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଦେବାଶିଷ ସାହୁ ଶିଶୁଟିର ଚିକିତ୍ସା ନକରି ସ୍ଵାସ୍ଥ୍ୟ କେନ୍ଦ୍ରର ଅନ୍ୟ ଜଣେ ଡାକ୍ତର ପୁଲ୍ଲକରଂଜନଙ୍କୁ ଦେଖାଇବାକୁ କହିଥିଲେ ।

ମାତ୍ର ଉକ୍ତ ଡାକ୍ତର ଜଣଙ୍କ ମେଡିକାଲରେ ଉପସ୍ଥିତ ନଥିବାରୁ ମୃତ ଶିଶୁର ପରିବାର ଲୋକେ ଡାକ୍ତରଙ୍କ ଘରକୁ ଯାଇ ପିଲାଟିକୁ ଦେଖିବାକୁ କାକୁତି ମିନତି କରିଥିଲେ ମଧ୍ୟ ସେ ସକାଳୁ ଦେଖିବେ କହି ସେମାନଙ୍କୁ ଫେରାଇ ଦେଇଥିଲେ ।

ତେବେ ସୋମବାର ସକାଳୁ ପରିବାର ଲୋକେ ଶିଶୁଟିକୁ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

ଡାକ୍ତରଙ୍କ ଏଭଳି ଅବହେଳା କାରଣରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଉତ୍ତେଜନା ଦେଖା ଦେଇଛି । ଯେଉଁ ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁଟିର ପ୍ରାଣ ଯାଇଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦାବି ହୋଇଛି ।

Leave A Reply

Your email address will not be published.