Latest Odisha News

ଚୀନ ବିଦେଶ ମନ୍ତ୍ରୀଙ୍କ ଖୋଲାଖୋଲି ଘୋଷଣା: ରୁଷ-ଚାଇନା ସମ୍ପର୍କ ଆହୁରି ମଜବୁତ ହେବ

ବେଜିଂ:ରୁଷ ସହ ଚୀନର ବନ୍ଧୁତା ଆହୁରି ନିବିଡ ହେବ । ଆମେରିକା ଚାହିଁଲେ ବି ଏହାକୁ ଅଟକାଇ ପାରିବନି । ଏପରିକି ଆମେରିକାର କୌଣସି ଚାପ କାମ କରିବ ନାହିଁ ବୋଲି ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଦୃଢତାର ସହ କହିଛନ୍ତି ।

ଆମେରିକା ଉପରେ କଡା ପ୍ରତିକ୍ରିୟା ରଖି କିନ ଗାଙ୍ଗ କହିଛନ୍ତି,ଚୀନର ପ୍ରଗତିକୁ ରୋକିବା ପାଇଁ ଆମେରିକା ଯେଉଁ ପ୍ରୟାସ କରୁଛି ସେଥିରେ ସେ ସଫଳ ହୋଇପାରିବ ନାହିଁ । ଚୀନ-ରୁଷ  ସମ୍ପର୍କକୁ ରୋକିବା ପାଇଁ ଆମେରିକାର କୌଣସି ଚାପ କାମ କରିବ ନାହିଁ ବୋଲି ସେ କହିଛନ୍ତି ।

ମଙ୍ଗଳବାର ମିଡିଆ ସହ ଆଲୋଚନା ପ୍ରସଙ୍ଗରେ ଚୀନ ବିଦେଶ ମନ୍ତ୍ରୀ କହିଥିଲେ, ଚୀନ ତାର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେବନି । ଆଧିପତ୍ୟ, ଏକତରଫା ପ୍ରତିବନ୍ଧକକୁ ସବୁବେଳେ ଚୀନ ବିରୋଧ କରିଆସିଛି ଏବଂ କରିବ । ସେ କହିଥିଲେ ଚୀନ-ରୁଷ ଅନ୍ତରାଷ୍ଟ୍ରୀୟ ସମ୍ପର୍କ ଏକ ଉଦାହରଣ ସୃଷ୍ଟି କରିଛି । ତେବେ ରୁଷ ସହ ଚୀନର ସମ୍ପର୍କ କୌଣସି ମେଣ୍ଟ ନୁହେଁ । ସେମାନଙ୍କ ସମ୍ପର୍କ ପ୍ରତିଦ୍ୱନ୍ଦ୍ୱିତାରୁ ଊର୍ଦ୍ଧ୍ୱରେ । କୌଣସି ତୃତୀୟ ପକ୍ଷ ବିରୋଧ କରିବା ତାଙ୍କର ଲକ୍ଷ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସେହିପରି ଚୀନ-ରୁଷ ବ୍ୟାବସାୟିକ ସମ୍ପର୍କରେ ଆମେରିକୀ ଡଲାର ବା ୟୁରୋ ପ୍ରଚଳନ କରିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଚୀନ ବିଦେଶମନ୍ତ୍ରୀ କହିଥିଲେ, ଆମେ ଏପରି ମୁଦ୍ର ପ୍ରଚଳନ କରିବୁ ଯାହା ସୁରକ୍ଷିତ ଏବଂ ବିଶ୍ୱସନୀୟ ରହିବ ।

Leave A Reply

Your email address will not be published.