ବେଜିଂ: ପରଲୋକରେ ନିଜ ପ୍ରିୟଜନ କିପରି ସୁଖସ୍ୱାଚ୍ଛନ୍ଦ୍ୟରେ ରହିବେ ସେଥିପାଇଁ ଲୋକେ ଅନେକ ରୀତିନୀତି ପାଳନ କରନ୍ତି । କିନ୍ତୁ ଚୀନରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ତଥା ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କ ପରିବାର ଲୋକେ କବର ଭିତରେ ବାପାଙ୍କ ସହ ଏକ ଦେଢ଼ କୋଟି ଟଙ୍କାର ଅସଲି ‘ମର୍ସିଡିଜ୍-ବେଞ୍ଜ୍’ କାର୍ ପୋତି ଦେଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୯ ତାରିଖରେ ଉତ୍ତର-ପୂର୍ବ ଚୀନର ଲିଆଓନିଂ ପ୍ରଦେଶରେ ଥିବା ଏକ ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ସହ କବରରେ ଯେଉଁ କାର୍ ପୋତାଯାଇଥିଲା, ତାହା ଥିଲା ଏକ କଳା ରଙ୍ଗର ‘Mercedes-Benz S450L’ । ଏହାର ମୂଲ୍ୟ ପାଖାପାଖି ୧.୫ କୋଟି ଭାରତୀୟ ଟଙ୍କାରେ । ବିଶେଷ କଥା ହେଉଛି, ଏହି କାରରେ ‘8888’ ନମ୍ବରର ଏକ ଭିଆଇପି ପ୍ଲେଟ୍ ଲାଗିଥିଲା, ଯାହାକୁ ଚୀନରେ ଧନ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ ବୃଦ୍ଧ ଜଣକ ବିଳାସପୂର୍ଣ୍ଣ କାର୍ ରଖିବାକୁ ବହୁତ ଭଲ ପାଉଥିଲେ । ତେଣୁ ବାପାଙ୍କ ଆତ୍ମାର ଶାନ୍ତି ଏବଂ ପରଲୋକ ଯାତ୍ରା ସୁଖମୟ କରିବା ପାଇଁ ପିଲାମାନେ ତାଙ୍କ ସହ ଏକ ଅସଲି କାର୍ କବର ଦେବାକୁ ନିଷ୍ପତ୍ତି ନେଇଥିଲେ । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବିଶାଳ କ୍ରେନ୍ ସାହାଯ୍ୟରେ ଲାଲ୍ କପଡ଼ା ଏବଂ ରିବନରେ ସଜ୍ଜିତ କାରଟିକୁ କବର ଭିତରକୁ ଓହ୍ଲାଯାଉଛି । କାର୍ ଉପରେ ମାଟି ପକାଇବାରେ ସାହାଯ୍ୟ କରିଥିବା ଗ୍ରାମବାସୀଙ୍କୁ ପରିବାର ପକ୍ଷରୁ ୫୦୦ ୟୁଆନର ଲାଲ୍ ଲଫାପା (ଉପହାର) ମଧ୍ୟ ବଣ୍ଟାଯାଇଥିଲା ।
ସାଧାରଣତଃ ଚୀନର ପରମ୍ପରାରେ ମୃତକଙ୍କୁ ସମ୍ମାନ ଜଣାଇବା ପାଇଁ କାଗଜରେ ତିଆରି ଘର ଓ କାର୍ ପୋଡ଼ିବାର ପ୍ରଥା ରହିଛି । କିନ୍ତୁ କାଗଜ ବଦଳରେ ଅସଲି କାର୍ ପୋତିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଇଞ୍ଜିନ୍ ଅଏଲ୍ ଏବଂ ବ୍ୟାଟେରୀ ସହ ଗୋଟିଏ କାରକୁ ମାଟି ତଳେ ପୋତିବା ଦ୍ୱାରା ମାଟି ଓ ଭୂଗର୍ଭସ୍ଥ ଜଳ ପ୍ରଦୂଷିତ ହେବାର ଆଶଙ୍କା ମଧ୍ୟ ରହିଛି ।
ଇଣ୍ଟରନେଟରେ ଲୋକେ ଏହି ଘଟଣାକୁ ‘ସଂପତ୍ତିର ଅହଙ୍କାର’ ବୋଲି କହି ତୀବ୍ର ସମାଲୋଚନା କରିଥିଲେ । ବିବାଦ ବଢ଼ିବା ପରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ପରିବାରକୁ କଡ଼ା ଚେତାବନୀ ଦେବା ସହ ସେମାନେ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି । ପ୍ରଶାସନ ଏବେ ସେମାନଙ୍କୁ କାରଟିକୁ ପୁଣି ଥରେ ମାଟି ତଳୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ପରିବେଶ ନଷ୍ଟ କରିଥିବାରୁ ପରିବାର ଉପରେ ମୋଟା ଅଙ୍କର ଜରିମାନା ଲାଗିପାରେ ବୋଲି ଜଣାପଡିଛି ।