ନୂଆଦିଲ୍ଲୀ: ସାଧାରଣତଃ ଅଣ୍ଡାକୁ ସୁଷମ ଖାଦ୍ୟର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରାଯାଏ। ଖାସକରି ଜିମ୍ ଯାଉଥିବା ଯୁବପିଢ଼ି ପ୍ରୋଟିନ୍ ପାଇଁ ଅଧିକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ବର୍ତ୍ତମାନର ଏହି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଅଧିକ ଅଣ୍ଡା ଖାଇବା ଆପଣଙ୍କ ପାଇଁ ବିପଦ ହୋଇପାରେ। ଗ୍ରୀଷ୍ମ ଋତୁରେ ଅଣ୍ଡା ସେବନକୁ ନେଇ ବିଶେଷଜ୍ଞମାନେ କଡ଼ା ଚେତାବନୀ ଦେଇଛନ୍ତି।
ଅଣ୍ଡାରେ ପ୍ରୋଟିନ୍, ଭିଟାମିନ୍ B12, D ଏବଂ ଆଇରନ୍ ଭରପୂର ରହିଛି। ଏହା ଶରୀରକୁ ଶକ୍ତି ଦିଏ ସତ, କିନ୍ତୁ ଏହାର ଗୁଣ ହେଉଛି ଗରମ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗ୍ରୀଷ୍ମ ଦିନେ ଅଧିକ ଅଣ୍ଡା ଖାଇଲେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଅଧିକ ଝାଳ ବୋହିବା, ଦେହ ହାତ ଘୋଳାବିନ୍ଧା ହେବା ଏବଂ ଛାତି ଧଡ଼ଧଡ଼ ହେବା ଭଳି ସମସ୍ୟା ଦେଖାଦିଏ। ଏଥିସହ ହଜମ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୁଏ। ଗ୍ୟାସ୍, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ବଢ଼େ। ଏସିଡିଟି କିମ୍ବା ପିତ୍ତ ରୋଗୀଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇଥାଏ।
ଖାଲି ସେତିକି ନୁହେଁ, ଅଣ୍ଡା ପ୍ରସ୍ତୁତିର ଶୈଳୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଗ୍ରୀଷ୍ମ ଋତୁରେ ଅଧିକ ତେଲ ମସଲାଯୁକ୍ତ ଅମ୍ଲେଟ୍ କିମ୍ବା ଭୁର୍ଜି ଖାଇବା ପରିବର୍ତ୍ତେ ସିଝା ଅଣ୍ଡା ଖାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଦିନକୁ ୧ରୁ ୨ଟି ଅଣ୍ଡା ଖାଇବା ସୁରକ୍ଷିତ। ଅଣ୍ଡା ଖାଇବା ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଖାଦ୍ୟରେ ଦହି, କାକୁଡ଼ି, ସାଲାଡ୍ ଏବଂ ପଇଡ଼ ପରି ଥଣ୍ଡା ପଦାର୍ଥ ସାମିଲ କରନ୍ତୁ।
ତେଣୁ ମନେରଖନ୍ତୁ, ଫିଟ୍ ରହିବା ପାଇଁ ଅଣ୍ଡା ନିଶ୍ଚୟ ଖାଆନ୍ତୁ, କିନ୍ତୁ ପରିମାଣ ପ୍ରତି ଧ୍ୟାନ ଦିଅନ୍ତୁ। ଅତ୍ୟଧିକ ଖାଇବା ଅପେକ୍ଷା ସନ୍ତୁଳିତ ଆହାର ହିଁ ଆପଣଙ୍କୁ ଏହି ଗରମରୁ ରକ୍ଷା କରିପାରିବ।