Latest Odisha News

BREAKING NEWS

Myanmar military:ମିଆଁମାର ସେନାର ଅଜବ ନିଷ୍ପତ୍ତି: ବିଦ୍ରୋହୀ ଅଧିକୃତ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ଉପରେ ଲଗାଇଲା କଟକଣା

ନେପିଡ଼ (ମିଆଁମାର): ମିଆଁମାରରେ କ୍ଷମତା ଦଖଲ କରିଥିବା ସାମରିକ ସରକାର ଏବେ ଏକ ଅଜବ ତଥା ବିବାଦୀୟ ନିଷ୍ପତ୍ତି ନେଇଛି । ବିଦ୍ରୋହୀଙ୍କ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକରେ ସେନା ପକ୍ଷରୁ ସାନିଟାରୀ ପ୍ୟାଡ୍ ଏବଂ ମହିଳାମାନଙ୍କ ଋତୁସ୍ରାବ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ସେନାର ଦାବି ଯେ, ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ଏହି ସାମଗ୍ରୀକୁ ନିଜ ଆହତ ଯବାନମାନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ବ୍ୟବହାର କରୁଛନ୍ତି ।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଗଣତାନ୍ତ୍ରିକ ସରକାରଙ୍କୁ ହଟାଇ ମିଆଁମାର ସେନା କ୍ଷମତା ଦଖଲ କରିବା ପରେ ଦେଶରେ ଗୃହଯୁଦ୍ଧ ଲାଗି ରହିଛି । ବିଦ୍ରୋହୀ ଗୋଷ୍ଠୀ ‘ପିପୁଲ୍ସ ଡିଫେନ୍ସ ଫୋର୍ସ’ ଦେଶର ବିଭିନ୍ନ ଅଞ୍ଚଳ ନିଜ ନିୟନ୍ତ୍ରଣରେ ରଖିଛି । ସେନାର କହିବା ଅନୁଯାୟୀ, ବିଦ୍ରୋହୀ ଯବାନମାନେ ସାନିଟାରୀ ପ୍ୟାଡ୍‌କୁ କ୍ଷତସ୍ଥାନରୁ ରକ୍ତସ୍ରାବ ବନ୍ଦ କରିବା ଏବଂ ଜୋତା ଭିତରେ ଝାଳ ଶୋଷିବା ପାଇଁ ବ୍ୟବହାର କରୁଛନ୍ତି ।

ଅନ୍ୟପକ୍ଷରେ, ମହିଳା ଅଧିକାର ପାଇଁ ଲଢ଼ୁଥିବା ସଂଗଠନଗୁଡ଼ିକ ସେନାର ଏହି ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି । ‘ଦି ଗାର୍ଡିଆନ’ର ଏକ ରିପୋର୍ଟ ଅନୁଯାୟୀ, ‘ସିଷ୍ଟର୍ସ-ଟୁ-ସିଷ୍ଟର୍ସ’ ସଂଗଠନର ନିର୍ଦ୍ଦେଶିକା ଥିନଜାର ସୁନଲେଇ ୟି କହିଛନ୍ତି ଯେ, ଏହା ହେଉଛି ସେନାର ଏକ ହୀନ କୌଶଳ । ବିଦ୍ରୋହୀ ଗୋଷ୍ଠୀରେ ସାମିଲ ଥିବା ମହିଳା କମାଣ୍ଡର ଏବଂ ଲଢୁଆମାନଙ୍କୁ ଅଟକାଇବା ତଥା ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ସେନା ଜାଣିଶୁଣି ଏପରି କଟକଣା ଲଗାଇଛି ।

ମିଆଁମାରର ସାମରିକ ସରକାର ଏହି କଟକଣା ନେଇ ସିଧାସଳଖ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରିନାହିଁ । ତେବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଏହା ସେନାର ‘ଫୋର୍ କଟ୍ସ’ ଅଭିଯାନର ଏକ ଅଂଶ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ରୋହୀମାନଙ୍କ ପାଖରେ ପହଞ୍ଚୁଥିବା ଖାଦ୍ୟ, ଅର୍ଥ, ଗୁଇନ୍ଦା ସୂଚନା ଏବଂ ଔଷଧ ଭଳି ମୌଳିକ ସାମଗ୍ରୀର ଯୋଗାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବା । ଗୃହଯୁଦ୍ଧ ନାଁରେ ବର୍ତ୍ତମାନ ମିଆଁମାରରେ ସାଧାରଣ ନାଗରିକଙ୍କୁ ଗିରଫ କରିବା, ସହର ଜାଳିଦେବା ଏବଂ ମନଇଚ୍ଛା ଗୁଳିଚାଳନା କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି ।

Leave A Reply

Your email address will not be published.