Latest Odisha News

BREAKING NEWS

ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଗୁମର ଖୋଲିବ କି? ସୁପ୍ରିମକୋର୍ଟ ଓଡ଼ିଶା ସରକାର ଓ ସିବିଆଇକୁ ଚିଟଫଣ୍ଡ ହିତାଧିକାରୀଙ୍କ ଟଙ୍କା ଫେରସ୍ତ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଜବାବ ମାଗିବା ପରେ ଦୀର୍ଘ ଦିନ ହେବ ଚାପି ହୋଇଯାଇଥିବା ଏହି ପ୍ରସଙ୍ଗରେ ପୁଣିଥରେ ସିବିଆଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିବ କି ପ୍ରଶ୍ନ ଉଠିଛି। ଯେତେବେଳେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ବିଜେଡି-ବିଜେପି ମୁହାଁମୁହିଁ ହେବ ମୋଡରେ ରହିଛନ୍ତି।

ଏକ ରିଟ୍ ପିଟସନର ଶୁଣାଣି କରି ଦୁଇ ଜଣିଆ ଖଣ୍ଡପୀଠ ବିଚାରପତି ଏମ୍. ଆର୍. ଶାହ ଓ ଜଷ୍ଟିସ କ୍ରିଷ୍ଣମୁର୍ତ୍ତି ଏବଂ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ମାମଲାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ଓଡ଼ିଶା ସରକାର ଓ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଏହି ବହୁ ଚର୍ଚ୍ଚିତ ଠକେଇ ପ୍ରସଙ୍ଗରେ ହିତାଧିକାରୀ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ଏହି ବହୁ ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ସିବିଆଇ ତଦନ୍ତ କରାଇ ହିତାଧିକାରୀଙ୍କୁ ଟଙ୍କା ଫେରାଇବ ଓ ଜମାକାରୀ ଟଙ୍କା ଫେରିପାଇବ ବୋଲି କହିଥିଲା। ହେଲେ ବିଭିନ୍ନ ରାଜନୀତିର ମିଶାଣ ଫେଡାଣରେ ଏହି ମାମଲା କ୍ରମଶଃ ଶୀତଳ ଭଣ୍ଡାର ଭିତରକୁ ଚାଲିଯାଇଛି।

ଉଲ୍ଲେଖଯୋଗ୍ୟ, ୪୪ଟି ଚିଟଫଣ୍ଡ କମ୍ପାନୀ ନାଁରେ ଠକେଇ ଅଭିଯୋଗ ରହିଛି। ଚିଟଫଣ୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଏକ ତଦନ୍ତ କମିଶନ ଗଠନ କରିଥିଲେ। ଓଡ଼ିଶା ସରକାର କମିଶନଙ୍କ କାର୍ଯ୍ୟକାଳ ଆଠ ବର୍ଷ ହେବ ବଢାଇବା ପରେ ୨୦୨୦ରେ ବନ୍ଦ କରି ଦେଇଦେଲେ। ରାଜ୍ୟ ସରକାର ୫ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଥିବା ସୂଚନା ରହିଥିବା ବେଳେ କେତେ ଜଣ ହିତାଧିକାରୀ ଟଙ୍କା ଫେରସ୍ତ ପାଇଥିବା ସୂଚନା ରହିଛି। ଏହି ମାମଲାରେ ୪୭ ଜଣ ବିଜେଡି ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ସରୋଜ ସାହୁଙ୍କ ନାମ ପ୍ରକାଶ ପାଇଥିଲା।

Leave A Reply

Your email address will not be published.