Latest Odisha News

BREAKING NEWS

ରତ୍ନଚିତାରେ ଝଟକିଲେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଗତକାଲି ସମ୍ପନ୍ନ ହୋଇଛି ଚିତାଲାଗି ଅମାବାସ୍ୟା ନୀତି । ପ୍ରାତଃକାଳରେ ମହାପ୍ରଭୁଙ୍କର ଦ୍ୱାରଫିଟା ନୀତି, ମଙ୍ଗଳ ଆରତୀ, ଦ୍ୱାରପାଳ ପୂଜା, ରୋଷ ହୋମ, ସୂର୍ଯ୍ୟପୂଜା ପରେ ଗୋପାଳ ବଲ୍ଲଭ ଭୋଗ ସମ୍ପନ୍ନ ହୋଇଥିଲା । ସକାଳଧୂପ ଓ ପ୍ରଥମ ଭୋଗମଣ୍ଡପ ଉଠି ଦଇତାମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିଥିଲେ । ଏହି ନୀତି ପାଇଁ ଭଣ୍ଡାର ଘରୁ ତିନି ଠାକୁରଙ୍କୁ ଲାଗି ହେଉଥିବା ୩ଟି ରତ୍ନ ଚିତା ଓ ପାଟରା ଯୋଗାଇଥିବା ପାଟଫିତା ଡୋର ଜମା କରାଯାଇଥିଲା ।

ସକାଳ ଧୂପ ପୂଜା ବସିଥିବା ସମୟରେ ରତ୍ନ ଚିତା ୩ ଗୋଟିକୁ ଦେଉଳ କରଣଙ୍କ ମାର୍ଫତରେ ଦେଇଥିଲେ । ମନ୍ଦିର ବଣିଆ ଚିତାମାଜି ସଫା କଲା ପରେ ଏହାକୁ ପାରମ୍ପରିକ ନୀତିରେ ପଞ୍ଚାମୃତ କରାଯାଇଥିଲା । ସକାଳଧୂପ ଓ ଭୋଗମଣ୍ଡପ ପରେ ପୁଷ୍ପାଳକ ଶ୍ରୀଜୀଉମାନଙ୍କୁ ମଇଲମ କରି ଶ୍ରୀଦେବୀ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରିଥିଲେ । ପାଳିଆ ଖୁଣ୍ଟିଆ ଡାକମାରିବାରୁ ତିନିବାଡର ବାଡଗ୍ରାହୀ ଦଇତାମାନେ ବେହେରେଣ ଦ୍ୱାରରେ ଗୋଡ ଧୋଇ ଗର୍ଭ ଗୃହକୁ ପ୍ରବେଶ କରିଥିଲେ ।

ବାଡଗ୍ରାହୀ ଦଇତା ଓ ବିଦ୍ୟାପତି ନବକିଶୋର ପତିମହାପାତ୍ର ରତ୍ନସିଂହାସନ ଉପରେ ଦେଶ ପାଇଁ ଉଦ୍ଧିଷ୍ଟ କାଠଘୋଡା ଉପରେ ଚଢି ପାଟରା ଦେଇଥିବା ପାଟଡୋରାରେ ଚିତାକୁ ବାନ୍ଧି ଶ୍ରୀଜିଉମାନଙ୍କ ଶ୍ରୀମୁଖରେ ଲାଗି କରାଇଥିଲେ । ଏହି ପାଟଡୋର ଓ ଚିତାକୁ ଶ୍ରୀଜୀଉମାନଙ୍କ ଶ୍ରୀମୁଖରେ ସୁରକ୍ଷିତ ପାଇଁ ଲଗାଇବା ପାଇଁ ସୁଦୁସୁଆର ଦେଇଥିବା ଓଷ ଲଗାଇ ସଂଯୋଗ କରିଥିଲେ ।

ଶ୍ରୀବଳଭଦ୍ରଙ୍କ ଶ୍ରୀମୁଖରେ ସବୁଜ ରଙ୍ଗର ପାନ୍ନାଚିତା, ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ ଉଜ୍ୱଳ ବ୍ରହ୍ମଜ୍ୟୋତି ଖଚିତ ହୀରାଚିତା ମା ସୁଭଦ୍ରାଙ୍କ ଶ୍ରୀମୁଖରେ ମାଣିକ୍ୟ ଖଚିତ ଚିତା ଲଗାଯାଇଥିଲା । ଦଇତାମାନେ ଚିତ୍ତାଲାଗି ପରେ ଗର୍ଭଗୃହରୁ ଆସିଲା ପରେ ପାଳିଆ ମେକାପ ରତ୍ନସିଂହାସନ ମାର୍ଜଣା କରିଥିଲେ । ଏହାପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇ ଭୂଦେବୀ ଶ୍ରୀଦେବି ରତ୍ନ ସିଂହାସନରେ ବିଜେ କଲା ପରେ ବେଶ ବଢିଥିଲା ।

ମାଳଫୁଲ ଲାଗି ବେଶ ବଢିବା ପରେ ମହାପ୍ରଭୁଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା । ଶ୍ରୀଜୀଉମାନଙ୍କୁ ତଢାଉ ଲାଗି ପରେ ମଧ୍ୟାହ୍ଣ ଧୂପ ସମ୍ପନ୍ନ ହୋଇଥିଲା । ଏହାପରେ ମୁଦିରସ୍ତ, ପତିମହାପାତ୍ର ଓ ପୂଜାପଣ୍ଡା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାସୁଭଦ୍ରାଙ୍କୁ ବନ୍ଦାପନା କରିଥିଲେ । ଏହାପରେ ଶ୍ରୀମନ୍ଦିର ଅନ୍ୟାନ୍ୟ ନୀତି ବଢିଥିଲା । ଚିତାଲାଗି ପରେ ସେବାୟତମାନେ ପାରମ୍ପରିକ ଭାବେ ଛେନା ତାଡିଆ ଓ ଫାଳସୋଲା ଶ୍ରୀଜୀଉମାନଙ୍କୁ ସକାଳ ଧୂପରେ ଅର୍ପଣ କରିଥିଲେ ।

ଏହାବ୍ୟତୀତ ପୁରୀ ସହରରେ ଚିତାଲାଗି ଅମାବାସ୍ୟା ଘରେ ଘରେ ପାଳିତ ହୋଇଛି । ନଡିଆ ଚାଉଳ ବଟା ଯାଇ ମାଟି ପଲମରେ ଚିତଉ ପିଠା କରି ଭୂଦେବୀଙ୍କୁ ଅର୍ପଣ କରାଯାଇଥିଲା । ବର୍ଷାଦିନେ ଗେଣ୍ଡା, କୋଚିଆଙ୍କ ଉପଦ୍ରବ୍ୟରୁ ଚାଷ ବାସ ସମୟରେ ଘର ଲୋକଙ୍କୁ ରକ୍ଷା କରିବା  ଅର୍ପଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.