Latest Odisha News

BREAKING NEWS

ଗାଁକୁ ଗାଁ ବ୍ୟାପୁଛି ହଇଜା: ଗୋଟିଏ ଦିନରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ା: କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ। ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ମୁହାଁ ହୋଇଛି। ଏବେର ସଦ୍ୟ ରିପୋର୍ଟ ଅନୁଯାୟୀ ରାୟଗଡା କାଶୀପୁର ବ୍ଲକର ୨୦ଟି ଗାଁକୁ କବଳିତ କରିସାରିଲାଣି ହଇଜା ।  ଏବେ ସୁଦ୍ଧା ୨୮୧ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ରିପୋର୍ଟ କହୁଛି।

ଦୂଷିତ ଜଳ ହଇଜା ବ୍ୟାପିବା ମୁଖ୍ୟ କାରଣ ଜଣାପଡିବା ପରେ ପ୍ରସ୍ତୁତ ହୋଇଛି ଯୋଜନା । ଜଳ ଉତ୍ସ ବିଶୋଧନ ସାଙ୍ଗକୁ ଲୋକଙ୍କୁ ସଚେତନ ପ୍ରତି ଗୁରୁତ୍ଵ ଦେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ହଇଜା ପ୍ରଭାବିତ ଅଂଚଳରେ ଥିବା ଜଳ ଉତ୍ସଗୁଡିକୁ ବନ୍ଦ କରି ଦିଆଯାଇ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ସହିତ ସାହି ଓ ଗଳି ରାସ୍ତାରେ ବ୍ଳିଚଂ ପାଉଡର ସିଞ୍ଚନ କରାଯାଉଛି।

ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ,ଅଙ୍ଗନବାଡି ପ୍ରଭାବିତ ଅଞ୍ଚଳରେ ଘରକୁ ଘର ଯାଇ ହଲୋଜିନ୍ ବଟିକା ପାଣିରେ ପକାଇ ପିଇବାକୁ ସଚେତନ କରିବା ସହ ଗରମ ଖାଦ୍ୟ ଖାଇବା ଏବଂ ବାରମ୍ବାର ହାତ ଧୋଇବା ଉପରେ ସଚେତନ କରାଉଛନ୍ତି। ସେପଟେ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୬ଟି ଟିମ୍ ଗଠନ କରାଯାଇ ଗାଁ ଗଣ୍ଡାର ନଳକୂପ ଗୁଡିକୁ ବ୍ଳିଚିଂ ପକାଇ ବିଶୋଧନ କରାଯିବା ସହ ପାଣି ନମୁନା ସଂଗ୍ରହ କରାଯାଇ ପ୍ରତିଦିନ ଲ୍ୟାବକୁ ପଠାଯାଉଛି।

ଏବେ କାଶୀପୁର ବ୍ଳକର ବିଭିନ୍ନ ହସ୍ପିଟାଲ, ଉତ୍କଳ ହସ୍ପିଟାଲ ଆଦିରେ ମୋଟ ୬୮ଜଣ ହଇଜା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୨୦ଜଣ ରୋଗୀ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି । ଆଜି ଗୋଟିଏ ଦିନରେ ୧୧ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିବା ଜଣାପଡିଛି।

ଗତ ୨୦ ତାରିଖ ସ୍ୱାସ୍ଥ୍ୟବିଭାଗର କହିଥିଲା ଚାରି ଦିନ ମଧ୍ୟରେ ନିୟନ୍ତ୍ରଣକୁ ଆସିବ କଲେରା । କିନ୍ତୁ ଏବେର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନି।ପ୍ରତି ଦିନ ୩୦ ରୁ ୪୦ ହଇଜା ଆକ୍ରାନ୍ତଙ୍କ ଚିହ୍ନଟ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ପାଲଟିଛି। ଯେତେବେଳ ପର୍ଯ୍ୟନ୍ତ ଲୋକେ ସଚେତନ ହୋଇ ନିଜ ବ୍ୟବହାରରେ ପରିବର୍ତନ ଆସିନାହିଁ ସେତେବେଳ ପର୍ଯ୍ୟନ୍ତ ହାଇଯାଉପରେ ନିୟନ୍ତ୍ରଣ ଆସିବା କାଠିକର ପାଠ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ।

Leave A Reply

Your email address will not be published.