Latest Odisha News

କେଉଁସବୁ ସ୍ଥାନରେ ଜାନୁଆରୀ ୭ ରେ ପାଳିତ ହୁଏ ବଡ଼ଦିନ, ଜାଣନ୍ତୁ

ଭୁବନେଶ୍ୱର: ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ ।

ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଜାନୁଆରୀ ମାସରେ ପାଳନ କରାଯାଏ ।

କେଉଁଠି ପାଳନ କରାଯାଏ:

ରୁଷିଆରୁ ଇସ୍ରାଇଲ ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକ ମାନେ ଡିସେମ୍ବର ୨୫ ବଦଳରେ ଜାନୁଆରୀ ୭ ରେ ପାଳନ କରନ୍ତି କ୍ରିସମାସ ।

ବିଶ୍ୱର ୩୯ ପ୍ରତିଶତ ଖ୍ରୀଷ୍ଟଧର୍ମୀ ଋଷିଆରେ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଜାନୁଆରୀରେ ବଡ଼ଦିନ ପାଳନ କରିବାକୁ ଚୟନ କରନ୍ତି ।

ଋଷିଆ ସମେତ, ୟୁକ୍ରାଇନ, ଇସ୍ରାଇଲ, ଇଜିପଟ୍ ଓ ବଲଗେରିଆ ଆଦି ଦେଶ ଗୁଡିକ ଡିସେମ୍ବର ବଦଳରେ ଜାନୁଆରୀରେ ବଡ଼ଦିନ ପାଳନ କରିଥାନ୍ତି ।

କାହିଁକି ପାଳନ କରାଯାଏ

ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ ଥିବା ବେଳେ, ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପାଶ୍ଚ୍ୟାତ ଦେଶ ଗୁଡିକର ପ୍ରମୁଖ ଗୀର୍ଜାଘରମାନଙ୍କରେ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା।

ବର୍ତ୍ତମାନ ସମୟରେ ଗ୍ରେଗୋରିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ ଓ ଅଧିକାଂଶ ଦେଶର ସରକାରୀ କ୍ୟାଲେଣ୍ଡର୍ ଡିସେମ୍ବର ୨୫କୁ ବଡ଼ଦିନ ବୋଲି ଘୋଷଣା କରିଛନ୍ତି ।

କିନ୍ତୁ କେତେକ ପ୍ରାଚ୍ୟ ଦେଶରେ ଅନୁସୃତ ଜୁଲିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍‍ର ଡିସେମ୍ବର ୨୫ ତାରିଖ (ଯାହା ଗ୍ରେଗୋରିଆନ୍ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ) ଦିନ ବଡ଼ଦିନ ପାଳିତ ହୋଇଥାଏ ।

ଜୁଲିଆନ୍ ପାଞ୍ଜିର ବଡ଼ଦିନ ଗ୍ରେଗୋରିଆନ୍ ପାଞ୍ଜିର ଏପିଫ୍ୟାନି ବା ପ୍ରଭୁପ୍ରକାଶ ପର୍ବ (ଜାନୁଆରୀ ୬ ତାରିଖ)ର ପରବର୍ତ୍ତୀ ଦିନ ପଡ଼ିଥାଏ ।

ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହାକୁ ଏକ ବିବାଦ ନୁହେଁ ବରଂ ପାଞ୍ଜି ଅନୁସରଣ କରିବାର ଏକ ଭିନ୍ନ ଦିଗ ଭାବେ ପରିଗଣିତ କରିଥାନ୍ତି ।

ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ଅନୁସାରେ ଜଗତର ପାପମୋଚନ କରିବା ପାଇଁ ଭଗବାନ ଯୀଶୁ ଅବତାର ରୂପେ ପୃଥିବୀପୃଷ୍ଠରେ ଅବତରଣ କରିଥିବାର ବେଳା ବା ଘଟଣାକୁ ପାଳନ କରାଯିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ କେଉଁ ଦିନ ଏହି ସବୁ ଘଟଣା ଘଟିଥିଲା ତାହା ନିମିତ୍ତ ମାତ୍ର ବୋଲି ସେଠାକାର ବାସିନ୍ଦା ବିଶ୍ୱାସ କରନ୍ତି ।

Leave A Reply

Your email address will not be published.