ଭାଗ-୨
ପଚାଶ ଦଶକର ଆରମ୍ଭରେ ଓଡ଼ିଶାରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ଯେଉଁ ପରମ୍ପରା ଆରମ୍ଭ ହେଲା ତାହାର ବୈଶିଷ୍ଟ୍ୟ ଥିଲା ମନୋରଞ୍ଜନ ଜଗତ ସହ ବୃହତ ପାଠକ ବର୍ଗକୁ ଯୋଡ଼ିବା । ସେ ସମୟରେ ଏତକ କରିପାରିବା କିଛି କମ୍ ଦୁଃସାହସିକ ବ୍ୟାପାର ନ ଥିଲା । ସେତେବେଳକୁ ମାତ୍ର ତିନିଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଛି । ସୀତା ବିବାହ, ଲଳିତା ଓ ଶ୍ରୀଜଗନ୍ନାଥ । ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ତଥା ପ୍ରଥମ ଓଡ଼ିଆ ସାମାଜିକ ଛବି ‘ରୋଲସ୍ ଟୁ ଏଇଟ୍’ ଏପ୍ରିଲ ମାସ ଶେଷ ସପ୍ତାହ ଅର୍ଥାତ ୨୯ ତାରିଖରେ ମୁକ୍ତିଲାଭ କଲା ଏବଂ ସଂଯୋଗ ଦେଖନ୍ତୁ ସେହି ମାସ ସଂକ୍ରାନ୍ତିରେ ଆତ୍ମପ୍ରକାଶ କରିଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ।
ସେତେବେଳେ ଓଡ଼ିଶାରେ ମନୋରଞ୍ଜନ ଜଗତ କହିଲେ ଅଧକାଂଶରେ ବ୍ୟାବସାୟିକ ଥିଏଟର ଦଳ । ଥିଏଟର ଦଳରୁ ମୁଖ୍ୟ ପୁଣି ଦୁଇଟି ଅନ୍ନପୂର୍ଣ୍ଣା ‘କ’ ଓ ‘ଖ’ ଦଳ ଏବଂ ନବ ସ୍ଥାପିତ ‘ଜନତା ରଙ୍ଗମଞ୍ଚ’ । ଚଳଚ୍ଚିତ୍ର ଭିତରେ ସାରା ଓଡ଼ିଶାରେ ହିନ୍ଦୀ ଚଳଚ୍ଚିତ୍ର ଅଧିକାଂଶ ହଲ୍ରେ ଖେଳୁଥିଲା ଓ ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଚଳଚ୍ଚିତ୍ର ବେଶି ଖେଳୁଥିଲା । ଅତଏବ ଏଭଳି ସ୍ଥିତିରେ ଚଳଚ୍ଚିତ୍ର ପତ୍ରିକା ପାଇଁ ଓଡ଼ିଆ ମନୋରଞ୍ଜନ ଜଗତର ଉପାଦାନ ଖୁବ୍ କମ୍ । ଏଥିରୁ ସ୍ପଷ୍ଟ ହେଉଛି ଯେ ପ୍ରଥମ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନ ପାଇଁ ଆବେଗ ସହ ଯେଉଁ ଉଦ୍ଦାମତା, ସାହସ ଓ ଆର୍ତ୍ତି ର ସଂଯୋଗ ଜରୁରି ଥିଲା, ସେତକ ଥିଲା ବୋଲି ସମ୍ପାଦକ କାଳୀଚରଣ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ପରମ୍ପରା ପ୍ରୋଥିତ କଲେ ।
‘ବିଶାଳ ଉତ୍କଳର ଏକମାତ୍ର ସିନେମା ମାସିକ ପତ୍ରିକା’ ଉପ ଶୀର୍ଷକରେ ସଜ୍ଜିତ ଏବଂ ପ୍ରଚ୍ଛଦ ଦୁଇ ରଙ୍ଗୀ ଓ ଭିତର କଳାଧଳା ଛାପାରେ ‘ସିନେ ଓଡ଼ିଶା’ର ଅଧିକାଂଶ ଳେଖା ହିନ୍ଦୀ ଚଳଚ୍ଚିତ୍ର ଆଧାରିତ ଥିଲା । ତାହା ପୁଣି ଚିତ୍ର ତାରକାଙ୍କ ବ୍ୟକ୍ତିତ୍ୱ ଲେଖ ବା ପ୍ରୋଫାଇଲ୍ । ହିନ୍ଦୀ ଚଳଚ୍ଚିତ୍ରର ସମୀକ୍ଷା, ଲୋକପ୍ରିୟ ହିନ୍ଦୀ ଗୀତର ସଂପୂର୍ଣ୍ଣ ଲେଖା ଓ ‘ଚିତ୍ର ନିର୍ମାଣ ପଟେ’ ସ୍ତମ୍ଭ । ଅନ୍ୟ ଯାହାସବୁ ନିୟମିତ ସ୍ତମ୍ଭ ଥିଲା, ସେସବୁ ହେଉଛି ସମ୍ପଦକୀୟ ଯାହାର ନିର୍ଦ୍ଦିଷ୍ଟ ନାମ ଥିଲା ‘ଭୀତିହୀନ ନିରପେକ୍ଷ ଭାବେ’, ଆପଣଙ୍କ ପ୍ରଶ୍ନର ଉତ୍ତର ଓ ପାଗଳାର ପତ୍ର । ‘ପାଗଳା’ ଛଦ୍ମନାମରେ ପ୍ରକାଶିତ ‘ପାଗଳାର ପତ୍ର’ରେ ସାରା ଓଡ଼ିଶାର ମନୋରଞ୍ଜନର ହାଲ୍ଚାଲ୍ ପ୍ରକାଶିତ ହେଉଥିଲା । ଆହୁରି ଥିଲା ‘ଲାକମତ’, ଏଥିରେ ପାଠକଙ୍କର ମତାମତ ସ୍ଥାନିତ ହେଉଥିଲା ।
‘ସିନେ ଓଡ଼ିଶା’ର ଆୟୁକୁ ଦୁଇଟି ଭାଗରେ ବଣ୍ଟାଯାଇପାରେ । ୧୯୫୧ରୁ ୫୬ ଓ ୧୯୫୭ରୁ ୫୮ । ପ୍ରଥମ ବ୍ରହ୍ମପୁରରୁ ଓ ଦ୍ୱିତୀୟ କଟକରୁ । ବ୍ରହ୍ମପୁରରୁ ଯେତେବେଳେ ପ୍ରକାଶିତ ହେଊଥିଲା ତାହାର ତତ୍ତ୍ୱାବଧାରକ ଥିଲେ ରାମକୃଷ୍ଣ ତ୍ରିପାଠୀ । ରାମକୃଷ୍ଣ ତ୍ରିପାଠୀ ପରେ ଷାଠିଏ ଦଶକରେ ପଞ୍ଚସଖା ଫିଲ୍ମସ ସହ ସଂପୃକ୍ତ ହୋଇ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସଂପାଦକ କାଳୀଚରଣ ତ୍ରିପାଠୀ ଥିଲେ ରାମକୃଷ୍ଣ ତ୍ରିପାଠୀଙ୍କ ଅନୁଜ । ପ୍ରକାଶନର ଦ୍ୱିତୀୟ ଫର୍ଦ୍ଦରେ କାଳୀଚରଣ ତ୍ରିପାଠୀ ଆଉ ସଂପୃକ୍ତ ନଥିଲେ । କଟକରୁ ପ୍ରକାଶିତ ସମ୍ପାଦନା ମଣ୍ଡଳୀରେ ରହିଥିଲେ ଗୋରାଚାନ୍ଦ ମିଶ୍ର, ଧୀରେନ୍ଦ୍ର ନାଥ ବିଶ୍ୱାଳ ଓ କାଳୀଚରଣ ତ୍ରିପାଠୀ । ତେବେ ବ୍ରହ୍ମପୁରରୁ ପ୍ରକାଶନ ସମୟରେ ‘ସିନେ ଓଡ଼ିଶା’ର ଯେଉଁ ଲୋକପ୍ରିୟତା ଥିଲା, କଟକରୁ ପ୍ରକାଶନ ସମୟରେ ସେହି ପାଠକୀୟ ଅନୁରାଗ ଆଉ ରହିଲା ନାହିଁ । କେତେକ ସ୍ତମ୍ଭରେ ବିଶେଷ ପରିବର୍ତ୍ତନ ହେଲା, ମନୋରଞ୍ଜନ ଜଗତ ଖବର ଅପେକ୍ଷା ଗଳ୍ପ, କବିତା, ଏକାଙ୍କିକା ଅଧିକରୁ ଅଧିକ ସ୍ଥାନିତ ହେଲା କଟକ ‘ସିନେ ଓଡ଼ିଶା’ ସଂସ୍କରଣରେ । କେବଳ ପରିବର୍ତ୍ତନ ହେଲାନାହିଁ ‘ସିନେ ଓଡ଼ିଶା’ ପ୍ରଚ୍ଛଦ ପରିକଳ୍ପନା । ପ୍ରଚ୍ଛଦରେ ଚଳଚ୍ଚିତ୍ର ନାୟକ, ନାୟିକାଙ୍କ ଛବି ପ୍ରକାଶନ ଆରମ୍ଭରୁ ରହିଥିଲା ଓ ଶେଷ ପର୍ଯ୍ୟନ୍ତ ରହିଲା । କେବଳ ଚିତ୍ର ନାୟକ, ନାୟିକା କାହିଁକି ଓଡ଼ିଶାର ଲୋକପ୍ରିୟ ନାଟକ ତାରକାଙ୍କ ଛବି ବି ପ୍ରକାଶିତ ହୋଇଛି ‘ସିନେ ଓଡ଼ିଶା’ର ବିଭିନ୍ନ ପ୍ରଚ୍ଛଦରେ । ଏହି କ୍ରମରେ ୧୯୫୨ ମସିହା କୁମ୍ଭ ସଂକ୍ରନ୍ତି ଅର୍ଥାତ ଫେବୃଆରି ‘ସିନେ ଓଡ଼ିଶା’ ସଂଖ୍ୟା ପ୍ରଚ୍ଛଦରେ ସ୍ଥାନିତ ତତ୍କାଳୀନ ଓଡ଼ିଆ ମଞ୍ଚର ଚର୍ଚ୍ଚିିତା ନାୟିକା ଲୀଲା ଦୁଲାଳୀଙ୍କ ଛବିଟି ଉଲ୍ଲେଖଯୋଗ୍ୟ ନିଶ୍ଚୟ । ତତ୍କାଳୀନ ଓଡ଼ିଶାର ସାମାଜିକ ସ୍ଥିତି ଯାହା ସେହି ସମୟରେ ଟି ସର୍ଟ ପିନ୍ଧି ଛବି ପାଇଁ ପୋଜ୍ ଦେବା ବିରଳ ନିଶ୍ଚୟ । ସେହି ପ୍ରଚ୍ଛଦର ଛବି ଏଠାରେ ସ୍ଥାନିତ ହୋଇଛି, ପୁଣି ସ୍ଥାନିତ ହୋଇଛି ସମ୍ପାଦକ କାଳୀଚରଣ ତ୍ରିପାଠୀଙ୍କ ଛବି, ଯିଏ ପରିକଳ୍ପନା କରିଥିଲେ ଯେ ସଂକ୍ରାନ୍ତିକୁ ସଂକ୍ରାନ୍ତି ‘ସିନେ ଓଡ଼ିଶା’ ପ୍ରକାଶିତ ହେବ । ‘ସିନେ ଓଡ଼ିଶା’କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ଥିଲେ ସେ । ‘ସିନେ ଓଡ଼ିଶା’ ଲୋକପ୍ରିୟ ହେବାର ରହସ୍ୟ କ’ଣ ଥିଲା, କେଉଁମାନେ ଏଥିରେ ନିୟମିତ ଲେଖୁଥିଲେ ଏବଂ କ’ଣ କ’ଣ ଲେଖୁଥିଲେ ସେହି ସମ୍ବନ୍ଧରେ ଏଯାବତ ଚର୍ଚ୍ଚା ହୋଇନାହିଁ । ଚର୍ଚ୍ଚା ହୋଇନାହିଁ ଯେ ଲୋକପ୍ରିୟତାର ଶୀର୍ଷରେ ଥିବାବେଳେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ମୃତ୍ୟୁ ଘଟିଲା କାହିଁକି? ସେ ସମ୍ବନ୍ଧରେ ଆର ସପ୍ତାହକୁ ସବିଶେଷ ଚର୍ଚ୍ଚା କରିବା ।
କ୍ରମଶଃ…