Latest Odisha News

ଦୁଇ କର୍ମଚାରୀଙ୍କ ଭୁଲ ଯୋଗୁଁ କ୍ଷତି ସହିବାକୁ ପଡିଛି ଆମେରିକାର ସିଟି ବ୍ୟାଙ୍କକୁ, ଲାଗିଲା ୬୬ ଅରବ ଡଲାରର ଚୂନା

ବେଙ୍ଗାଳୁରୁ: ଭାରତର ଆଇଟି କମ୍ପାନୀ ଓ୍ଵିପ୍ରୋର ଦୁଇ କର୍ମଚାରୀଙ୍କ ତ୍ରୁଟି କାରଣରୁ ଆମେରିକାର ସିଟି ବ୍ୟାଙ୍କକୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡିଛି । ଏହି ମାମଲା କସ୍ମୋଟିକ୍ କମ୍ପାନୀ ରେଭଲନର ଏକ ଟର୍ମ ଲୋନ୍ ସହ ଜଡିତ ରହିଛି । ସିଟି ବ୍ୟାଙ୍କର ପ୍ରଶାସନ ରେଭଲନର ଲୋନ ମାମଲାରେ ଏଜେଣ୍ଟ ରହିଥିଲେ। ସିଟି ବ୍ୟାଙ୍କ ରେଭଲନକୁ ଉଧାର ଦେଉଥିବା ଲୋକଙ୍କୁ ୭୮ ଲକ୍ଷ ଡଲାରର ଟଙ୍କା ସୁଧ ବାବଦରେ ଦେବାର ଥିଲା । ମାତ୍ର ବ୍ୟାଙ୍କ ଭୁଲବଶତଃ ୯୦ କୋଟି ଡଲାର(ପ୍ରାୟ ୬୬ ଅରବ ଡଲାର) ପଠାଇ ଦେଇଛନ୍ତି । ଏଥିରେ ମୂଳଧନ ରାଶି ମଧ୍ୟ ସାମିଲ ଥିଲା । ଯାହା ବ୍ୟାଙ୍କ ଇତିହାସରେ ସବୁଠୁ ବଡ ତ୍ରୁଟି ।

ସିଟି ବ୍ୟାଙ୍କ ରେଭଲନର ଲୋନ୍ ପ୍ରଶାସନ ଏଜେଣ୍ଟ ଭାବେ କାମ କରି ୧୦ ବିତ୍ତୀୟ କମ୍ପାନୀକୁ ୯୦ କୋଟି ଡଲାର ପଠାଇଥିଲା । ଏହି ସବୁ କମ୍ପାନୀ ରେଭଲନକୁ ଟର୍ମ ଲୋନ୍ ଦେଇଥିଲେ। ପ୍ରକୃତରେ ସିଟି ବ୍ୟାଙ୍କକୁ ଏହି ସବୁ କମ୍ପାନୀକୁ ୭୮ ଲକ୍ଷ ଡଲାରର ଟଙ୍କା ସୁଧ ବାବଦରେ ଦେବାର ଥିଲା । ମାତ୍ର ବ୍ୟାଙ୍କ ଭୁଲବଶତଃ ୯୦  କୋଟି ଡଲାରର ମୂଳଧନ ଏହି କମ୍ପାନୀକୁ ପଠାଇ ଦେଇଛି। ଲେଣ୍ଡର୍ସ ଟଙ୍କା ଫେରାଇବାକୁ ମନା କରି ଦେଇଛି। ମାମଲା ଏବେ କୋର୍ଟରେ ପହଞ୍ଚିଛି । କୋର୍ଟ କହିଛି, ଯେଉଁ ଲେଣ୍ଡର୍ସକୁ ସିଟି ବ୍ୟାଙ୍କର ଟଙ୍କା ମିଳିଛି, ସେମାନେ ଏହି ଅର୍ଥ ରଖିବାକୁ ହକଦାର । ସିଟି ବ୍ୟାଙ୍କ କୋର୍ଟର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବାକୁ ଯୋଜନା କରୁଛି ।

ଏହି ଟ୍ରାଞ୍ଜେକ୍ସନ ସିଟି ବ୍ୟାଙ୍କର ସିକ୍ସ-ଆଇ ପ୍ରକ୍ରିୟାରେ ହୋଇଥିଲା। ଏହାରି ଆଧାରରେ କୌଣସି ବି ନେଣଦେଣ କରିବା ପୂର୍ବରୁ ତିନି ଜଣ ଏହାକୁ ସମୀକ୍ଷା କରନ୍ତି ଏବଂ ଅନୁମତି ପ୍ରଦାନ କରନ୍ତି। ଏହି ମାମଲାରେ ପ୍ରଥମ ଦୁଇଟି ପ୍ରକ୍ରିୟା ଓ୍ଵିପ୍ରୋର କର୍ମଚାରୀଙ୍କ ଦ୍ଵାରା ହୋଇଥିଲା। ପ୍ରଥମ କର୍ମଚାରୀ ପେମେଣ୍ଟର ସୂଚନା ମାନୁଆଲି ବ୍ୟାଙ୍କର ଫ୍ଲେକ୍ସକ୍ୟୁବ୍ ଲୋନ୍ ପ୍ରୋସେସିଂ ପ୍ରୋଗ୍ରାମରେ ଦେଇଥିଲେ। ଦ୍ଵିତୀୟ କର୍ମଚାରୀ ଏହି ସୂଚନାକୁ ଯାଞ୍ଚ କରିଥିଲେ। ଚୂଡାନ୍ତ ଅନୁମତି ସିଟି ବ୍ୟାଙ୍କର ଟିମ୍‌ କରିଥିଲେ। ତେଣୁ ଏହି ଦଳକୁ ଟ୍ରାଞ୍ଜେକ୍ସନ ପାଇଁ ଉତ୍ତରଦାୟୀ କୁହାଯାଉଛି ।

Leave A Reply

Your email address will not be published.