ସଭ୍ୟତା ଓ ଅମାନିଆ ମଣିଷ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ସେ ଜୀଇଁବାରେ ବା କି ମଜା ଯୋଉଠି ସଂଘର୍ଷ ନାହିଁ । କଣ ପାଇଁ ଯୋଉ ରାସ୍ତା ଆମକୁ ଦେଖାଇ ଦିଆ ଯାଇଛି- ସେ ରାସ୍ତାରେ ଆମେ ଚାଲୁଥିବା ? ରେଳ ଧାରଣା ପରି, ଯୋଡ଼ାଏ ସୀମାରେଖା । ସମାନ୍ତରାଳ । ସବୁଦିନେ, ସଦାକାଳ ।

ରାସ୍ତା କୋଉଠି ନଥାଏ । ବଣଝୋଲା, ପାହାଡ଼ କନ୍ଦି ଟପି ଦିନେ କୋଉ ଅମାନିଆ ଆଦିମ ମଣିଷଟେ ଆଗକୁ ବଢେ । ପାଦେ ପାଦେ ବିପଦର ସାମ୍ନା କରେ । ଭୟର ନହଡ଼ି ହାବୁକା ହାବୁକା ହୋଇ ତା ଛାତିରେ ବାଡେଇ ହୁଏ । କିନ୍ତୁ ଆଗକୁ ଯାଏ ସେ । ପ୍ରକୃତି ସାଙ୍ଗେ ଲଢେ । ହାରେ । ହେଲେ ଜିତିବା ନିଶା ତାର ଉତୁରେନି । ଚାଲେ, ପାଦ ଥକିଯାଏ, ମନ ଫୁଲି ଉଠେ । ଆଉ ସେ ପଛକୁ ଫେରେନି । ତାର ପଦଚିହ୍ନ ଦେଖି-କିଏ ଦିନେ ପୁଣି ସେଇ ରାସ୍ତାରେ ଆଗକୁ ଯାଏ । ଧୀରେ ଧୀରେ ମଣିଷ ପିମ୍ପୁଡ଼ି ପରି ଧାଡ଼ି ଲଗାନ୍ତି । ବଣ ସଫା ହୋଇ ଚାଲେ କ୍ରମଶଃ । ସାବଜା ଚାଦର ଆଡ଼େଇ ହୋଇଯାଏ । ନିିଭି ଯାଏ ପ୍ରଥମ ମଣିଷର ପଦଚିହ୍ନ । ତାରି ଦେଖା ରାସ୍ତାରେ ମଣିଷ ବଢି ସମାଜ ଗଢେ । ନୂଆ ନିୟମ ବନାଏ । ତାକୁ ଲେଖି ରଖେ । ଏଣିକି ସେ ମଣିଷଙ୍କୁ ଆକଟ କରେ । ନିୟମର ପରିଧିର ବାଡ଼ବତା ଦେଖାଏ । ଡରାଏ । ଆଉ ଆମେ ଡରୁ । ସଭ୍ୟତା ତେଣିକି ଆମ ଭିତରେ ପଶିଯାଏ । ଆଉ ମୁକୁଳି ପାରୁନି ।

ଯିଏ ଆସିଛି, ସିଏ ବି ଏଇ ଗୁଳାରେ ପଡ଼ୁ । ତେଣିକି ସଭ୍ୟତାର ବାଡ଼ ମଜଭୁତ ହେବ । ନିୟମ ଆଉରି କଡ଼ା ହେବ । ମଣିଷ ତାକୁ ମାନି ମୁଣ୍ଡ ପୋତି ଚାଲିବ । ବଢ଼ିବ ସାମନ୍ତବାଦୀ ମାନସିକତା । ସଭ୍ୟତା ଡରେଇ ଚାଲିଛି, ବନେଇ ଚାଲିଛି ନିୟମ । କିଛି ରୁଗଣ ମସ୍ତିଷ୍କ ସେ ନିୟମର ସୃଷ୍ଟିକାରୀ, ଡୋର ତାଙ୍କରି ହାତରେ ।

ଅମାନିଆ ମଣିଷର ପଦଚିହ୍ନ ଚିହ୍ନି ବଣ, ପାହାଡ଼, ଗିରି, ଝୋଲା ଟପି ଚଢ଼ି ଆସି, ଖରାତରା, ଛାଇ ଆଲୁଅରେ ନ ଅଟକି ବାଟ ଫିଟେଇ ଥିବା ମଣିଷ ଏବେ କେଡ଼େ ଅସହାୟ ! ବନ୍ଦୀ !

ଘରେ, ବାହାରେ । ଗଛ ଛାଇରେ, ଚୈତ୍ର ଜହ୍ନ ଆଲୁଅରେ, ପଳାଶ ରଙ୍ଗରେ, ମହୁଲର ଅଦ୍ଭୁତ ନିଶାରେ ବି । ସେ ବନ୍ଦୀ, କୋଲପ ପଡ଼ିଛି ତାର ହାତ ଗୋଡ଼, ମସ୍ତିଷ୍କ ଓ ମନର ଆଭ୍ୟନ୍ତରୀଣ କୋଠରୀରେ ବି ।

ସେ କୋଲପ ଫିଟେଇ ମଣିଷ ଆଉ ବାହାରି ପାରେ ନାହିଁ । ତାର ସାହାସ ନଥାଏ ଏତେ ନିୟମ, ଏତେ କଥା, ଏଡ଼େ ସମାଜକୁ ସେ ଅବଜ୍ଞା କରିବ କେମିତି ? ଆସ୍ତେ ସେ ନଇଁ ଯାଏ ସେଇ ସମାଜ ଆଗରେ । ତାରି ପିଠି ଉପରେ ଚଢି ସାମନ୍ତବାଦୀମାନେ ରାଜୁତି ଚଳାନ୍ତି ।

ଆବିଷ୍କାର ନିଶା ଧରି ବାହାରି ଥିବା ଅମାନିଆ ମଣିଷ ଏବେ ଅସହାୟ ଡ ସାହାସ ବିହୀନ ଗୋଟେ ଜୀଇଁଥିବା ଜନ୍ତୁ କେବଳ ।