ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ । ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସେଲ୍ ।
ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ବୈଠକରେ ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ରୁଚି ଫୁଡ୍ ଲାଇନ, ମିଲକ୍ ମନ୍ତ୍ର, ଏବଂ ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶାର କମ୍ପାନୀର ମୁଖ୍ୟ ଯୋଗ ଦେଇଥିଲେ । ସଫଳ ମହିଳା ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରଥିଲେ ।
ଗତକାଲି ପ୍ରଥମ ଦିନରେ ରାଜ୍ୟକୁ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିଲା ଏବଂ ୫୪ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ସେହିପରି ଆଜି ଦ୍ବିତୀୟ ଦିନର ପ୍ରଥମାର୍ଦ୍ଧରେ ୩୦ ଏମଓୟୁ ସ୍ୱାକ୍ଷରିତ ହେବ ଏବଂ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସୁଯୋଗ ଅଛି । ନିବେଶ ପାଇଁ ଏବେ ହେଉଛି ପ୍ରକୃଷ୍ଟ ସମୟ । ରାଜ୍ୟର ୬ଟି ସ୍ଥାନରେ ଇକୋ ରିଟ୍ରିଟ ଚାଲିଛି, ସବୁ ହାଉସଫୁଲ । ଥାଇଲାଣ୍ଡ, ମାଲେସିଆରେ କ’ଣ ଅଛି ଯାହା ଓଡ଼ିଶାରେ ନାହିଁ । କୋରାପୁଟ ବହୁତ ସୁନ୍ଦର, କିନ୍ତୁ କୋରାପୁଟ ପାଇଁ କିଛି ଏମଓୟୁ ନାହିଁ । ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଉପମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଆହ୍ବାନ କରିଛନ୍ତି ।
Comments are closed.