Latest Odisha News

BREAKING NEWS

ସ୍କୁଲ ରୂପାନ୍ତର ପର୍ବ : ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ

ଭୁବନେଶ୍ୱର: ହାଇଟେକ୍ ହେଉଛି ହାଇସ୍କୁଲ । ୫-ଟି ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସ୍କୁଲ , ଶ୍ରେଣୀଗୃହ, ଲାଇବ୍ରେରୀ । ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢା । ଆଜି ଶିଶୁ ଦିବସ ଅବସରରେ ୪ଟି ଜିଲ୍ଲାର ୧୩୮ ହାଇସ୍କୁଲର ହୋଇଛି ରୂପାନ୍ତର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଶୁଭାରମ୍ଭ କରିଛନ୍ତି ।

ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ବିତୀୟ ଦିନ ଶିଶୁ ଦିବସରେ ବୌଦ୍ଧ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଆଦି ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି । କେବଳ କେନ୍ଦୁଝରରେ ଶହେ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି ।

ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିଲା । ଆଜି ସୁଦ୍ଧା ୩୩୦ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏଥିରେ ହିଞ୍ଜିଳି ଓ ଶେରଗଡର ୫୦ଟି ସ୍କୁଲ ମଧ୍ୟ ସାମିଲ । ଆଜି ଲୋକାର୍ପିତ ହୋଇଥିବା ୧୩୮ଟି ସ୍କୁଲ ମଧ୍ୟରୁ ବୌଦ୍ଧର ୧୦ଟି, ସୋନପୁରରେ ୧୧ଟି, ଭଦ୍ରକର ୧୭ଟି ଓ କେନ୍ଦୁଝରର ୧୦୦ଟି ସ୍କୁଲ ରହିଛି ।

ଏହି ଅବସରରେ ଶିଶୁ ଦିବସ ପାଇଁ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ । ଶିକ୍ଷା। ଭିତ୍ତିଭୂମିର ରୂପାନ୍ତର ପିଲାମାନଙ୍କ ମନରେ ଅଶେଷ ପ୍ରେରଣା ଓ ଉତ୍ସାହ ଭରି ଦେଇଛି।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ପ୍ରଯୁକ୍ତିବିଦ୍ୟା ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”

ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି-ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ।

Leave A Reply

Your email address will not be published.