Latest Odisha News

BREAKING NEWS

ସୋମବାରଠୁ ଆରମ୍ଭ ପଞ୍ଚୁକ: ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ସୋମବାରଠୁ ଆରମ୍ଭ ପଞ୍ଚୁକ । ରାତି ପାହିଲେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ପଞ୍ଚୁକ ଆରମ୍ଭ ହୋଇଯିବ। କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର । କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ପଞ୍ଚୁକ ଆରମ୍ଭ ହୋଇଯିବ। ଯେଉଁମାନେ କାର୍ତିକ ମାସ ସାରା ବ୍ରତ ପାଳନ କରି ନାହାନ୍ତି, ସେମାନଙ୍କ ମଧ୍ୟରୁ ଅନେକ ‌କାଲିଠାରୁ ୫ ଦିନ ପାଇଁ ଏହି ବ୍ରତ ଆରମ୍ଭ କରିବେ। ‌ସୋମବାର ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ।

ଦ୍ବିତୀୟ ଦିନ ଗରୁଡ଼ ଦ୍ବାଦଶୀରେ ବାଙ୍କଚୂଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜ ରାଜେଶ୍ବର ବେଶରେ ସୁନା ବେଶ ହୋଇ ‌ଦର୍ଶନ ଦେବେ। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଜୋରଦାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିଦିଆଯାଇଛି ।

ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି ଓ ୩୦ ଇନ୍ସପେକ୍ଟର ନିୟୋଜିତ ହେବେ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି ।

ତେବେ ଆଜି  ଓ ଆସନ୍ତାକାଲି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ । ଏହି ଦୁଇଦିନ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.