Latest Odisha News

BREAKING NEWS

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

ଭୁବନେଶ୍ବର : କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ବାରା କୋରାପୁଟର ୧୨ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ନବରଙ୍ଗପୁରର ୧୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଆଜିର କାର୍ଯ୍ୟକ୍ରମ ସହିତ ରାଜ୍ୟର ୨୩ଟି ଜିଲ୍ଲାର ଜନସାଧାରଣ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କୋରାପୁଟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋରାପୁଟ ଆଜି ଏକ ସଫଳ ଜିଲ୍ଲା ଭାବରେ ନୂଆ ପରିଚୟ ସୃଷ୍ଟି କରିପାରିଛି । ଏକ ନୂଆ ବ୍ରାଣ୍ଡ ଭାବରେ କୋରାପୁଟ କଫି ମାର୍କେଟରେ ସୁନାମ କରିବା ସହିତ ଜନଜାତି ଭାଇ ଭଉଣୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିଛି । ଆଗାମୀ ୫ ବର୍ଷରେ ୫୦୦୦ ହେକ୍ଟର ଜମିରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନଜାତି ଭାଇଭଉଣୀଙ୍କ ଶିକ୍ଷା ସହିତ ନୂଆ ନୂଆ ରୋଜଗାର ସୃଷ୍ଟି ଓ ଯୋଗାଯୋଗର ଉନ୍ନତି ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ନବରଙ୍ଗପୁର ଜିଲ୍ଲା ପାଇଁ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ୧୩୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ପିଇବା ପାଣି ଠାରୁ ଆରମ୍ଭ କରି ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଜିଲ୍ଲା ପାଇଁ ଗୋଟିଏ ଦିନରେ ୪୫ କୋଟି ଟଙ୍କା ଖର୍ଚ୍ଚରେ ୪୯ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଲୋକାର୍ପିତ ହୋଇଛି । ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବରଙ୍ଗପୁରର ୧୧ ଲକ୍ଷ ୩୦ ହଜାର ଲୋକ ଉପକୃତ ହେବେ ।

କାର୍ଯ୍ୟକ୍ରମରେ କୋରାପୁଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଚ ବିଧାୟକ ରଘୁରାମ ପୋଡାଲ ପ୍ରମୁଖ ଯୋଗ ଦେଇଥିବା ବେଳେ ନବରଙ୍ଗପୁରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରମେଶଚନ୍ଦ୍ର ମାଝୀ ଓ ବିଧାୟକ ସଦାଶିବ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ପରିଚୟ ସୃଷ୍ଟି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.