Latest Odisha News

BREAKING NEWS

ନବଙ୍କ ହତ୍ୟାର ତଦନ୍ତ ନେଇ ବର୍ଷିଲେ ନବୀନ, କହିଲେ ‘ହୀନ ରାଜନୀତି କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ବିରୋଧୀ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯାହାକି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ଅପମାନବୋଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସ୍ୱର୍ଗତ ନବ କିଶୋର ଦାସଙ୍କୁ ହତ୍ୟା ଦୁଃଖଦାୟକ । ମୁଁ ନେଇ ଗୃହରେ ଥରେ ବିବୃତି ଦେଇଥିଲି ।

ଏହି ସମ୍ବେଦନଶୀଳ ମାମଲାରେ କୌଣସି ପୋଲିସ ଅଧିକାରୀ, କୌଣସି କର୍ତ୍ତୃପକ୍ଷ କେହି ବି ଗଣମାଧ୍ୟମରେ ମତ ରଖି ନାହାଁନ୍ତି । ଏବେ ତଦନ୍ତ ଜାରି ରହିଛି । ଆଇନ୍ ଧାର୍ଯ୍ୟ କରିଥିବା ସମୟ ଅନୁସାରେ ଚାର୍ଜସିଟ୍ ଦାଖଲ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଭିଯୁକ୍ତ ଗୋପାଳ ଓ ସରକାରଙ୍କୁ ନେଇ ବିରୋଧୀ ଦେଉଥିବା ମନ୍ତବ୍ୟର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଗୋପାଳକୁ ପାଗଳ ସଜାଇବାକୁ ସରକାର ଉଦ୍ୟମ କରୁଥିବା ନେଇ ବିରୋଧୀ ଦେଉଥିବା ମନ୍ତବ୍ୟ ମିଛ । ବିରୋଧୀ ଶସ୍ତା ବୟାନ ଦେଇ ହୀନ ରାଜନୀତି କରୁଛନ୍ତି । ମୋ ସରକାର ସବୁବେଳେ ନ୍ୟାୟ ଦେବାକୁ କାର୍ଯ୍ୟ କରୁଛି ।

ହତ୍ୟା ପଛରେ ଥିବା ସତକୁ ବାହାର କରିବା ଏବଂ ହତ୍ୟାରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ତଦନ୍ତ ହେଉଛି । ଆମେ ସମସ୍ତ ପ୍ରକାରର ବୈଜ୍ଞାନିକ ପ୍ରଣାଳୀକୁ ନେଇ ତଦନ୍ତ କରୁଛୁ । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ ସହଯୋଗ କରୁଛନ୍ତି । ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ।

ତଥାପି ତଦନ୍ତରେ ସରକାର କିଛି ଲୁଚାଉଥିବା ବିରୋଧୀ କହିବା ଦୁଃଖଦାୟକ ବୋଲି କଡ଼ା ଭାଷାରେ କହିଛନ୍ତି ନବୀନ । ମୁଁ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଉଛି ଏହି ସମ୍ବେଦନଶୀଳ ଘଟଣାରେ ନ୍ୟାୟ ମିଳିବ । ଦୋଷୀ ନିଶ୍ଚିତ ସଜା ପାଇବ । ଯେତେବେଳେ କି ଲୋକେ ବିରୋଧୀଙ୍କ ସଂକୀର୍ଣ୍ଣ ରାଜନୈତିକ ମାନସିକତାରୁ ବାହାରି ଆସିବେ ।

ରାଜ୍ୟରେ ପୋଲିସ ଭଲ କାମ କରୁଛି । ଏବେ ୩୬ଟି ନୂଆ ଥାନା ସ୍ଥାପନ ହୋଇଛି । ନିକଟରେ ପ୍ରାୟ ୨୨୦୦ ପୋଲିସ ପୋଷ୍ଟ ସୃଷ୍ଟି କରାଯାଇଛି । ୬୫୦୦ ପୋଲିସ କର୍ମଚାରୀ ନିଯୁକ୍ତି ଲାଗି ପ୍ରକ୍ରିୟା ଜାରି ରହିଛି । ମୋ ସରକାର ଅଧିନରେ ନିୟମିତ ଜନସାଧାରଣଙ୍କ ମତାମତ ନିଆଯାଉଛି । ଯାହାକି ସନ୍ତୋଷଜନକ ବୋଲି କହିଛନ୍ତି ନବୀନ ।

Leave A Reply

Your email address will not be published.