Latest Odisha News

ଦେଢ଼ ବର୍ଷରେ ଫିକା ପଡିଗଲା ପ୍ରେମ; ସ୍ୱାମୀର ଗୋଇଠା ମାଡ଼ରେ ଚାଲିଗଲା ଗର୍ଭବତୀ ସ୍ତ୍ରୀର ଜୀବନ

ବାରିପଦା: ପାରିବାରିକ କଳହର କରୁଣ ପରିଣତି । କ୍ରୋଧ ପାଖରେ ଅଚିହ୍ନା ଲାଗିଲା ଚିହ୍ନା ମୁହଁ । ପର ହୋଇଗଲା ଆପଣାର ମଣିଷ । ସ୍ତ୍ରୀର ଗର୍ଭରେ ବଢୁଥିବା କଅଁଳ ମୁହଁକୁ ବି ସେ ଚିହ୍ନି ପାରିଲାନି । ସାତ ଜନ୍ମର ସାଥି ହୋଇଗଲା ସାତ ପର । ଶେଷରେ ସ୍ୱାମୀ ଅତି ନିର୍ମମ ଭାବେ ଗର୍ଭବତୀ ସ୍ତ୍ରୀର ପେଟକୁ ଗୋଇଠା ମାରି ହତ୍ୟା କରିଲା । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଉଦଳା ଥାନା ଖଣ୍ଡାଚିରା ଗ୍ରାମରେ ।

ଖଣ୍ଡାଚିରା ଗ୍ରାମର ଦାମ ମୁର୍ମୁ । ଗତକାଲି ରାତିରେ ସ୍ୱାମୀ ଦାମ ଏବଂ ସ୍ତ୍ରୀ ଗୋଲାପୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ନିଜର ୩ ମାସର ଗର୍ଭବତୀ ସ୍ତ୍ରୀ ଗୋଲାପୀ ପେଟରେ ବାରମ୍ବାର ଗୋଇଠା ମାରିଥିଲା ଦାମ । ଗୋଇଠା ମାଡ ଖାଇ ଗୋଲାପୀ ଚିତ୍କାର କରୁଥିଲା । ହେଲେ ତାର ବିକଳ ଚିତ୍କାର ଦାମ କାନରେ ପଡୁ ନ ଥିଲା । ଶେଷରେ ମଦ ଖାଇ ଗୁରୁତର ହୋଇପଡିଥିଲା ଗୋଲାପୀ ।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଦେଢ ବର୍ଷ ପୂର୍ବେ ଗୋଲାପୀ ଏବଂ ଦାମ ପ୍ରେମ ବିବାହ କରିଥିଲେ । ହେଲେ କ୍ରୋଧ ପାଖରେ ଫିକା ପଡିଗଲା ସେ ପ୍ରେମ । ଯେଉଁ ହାତ ଧରି ପ୍ରେମକୁ ଆପଣାର କରି ଘରକୁ ଆଣିଥିଲା ସେଇ ହାତରେ ଜୀବନ ନେଇଗଲା। ଖବର ପାଇ ଉଦଳା ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ପାଇ ଗୋଲାପୀଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଂଚିଛନ୍ତି । ତାଙ୍କର ଝିଅକୁ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ପରେ ପୋଲିସ୍ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.