Latest Odisha News

ନେତାଜୀଙ୍କ ନାଁରେ କଟକରେ ବସ ଟର୍ମିନାଲ, ସୁଭାଷ ବୋଷଙ୍କ ଜୟନ୍ତୀରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ତାଙ୍କ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ନାଁରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ନେତାଜୀଙ୍କ ନାମରେ ଖାନନଗରଠାରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୧୨ ଏକର ବିଶିଷ୍ଟ ବସ୍ ଟର୍ମିନାଲ ନିର୍ମାଣରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ଏଠାରେ ଏକାସମୟରେ ୧୮୦ଟି ବସ୍ ଓ ୨୭୫ଟି କାର ରହଣୀ ପାଇଁ ବ୍ୟବସ୍ଥା କରାଯିବ । ୧୮ ମାସ ଭିତରେ ନୂଆ ଆନ୍ତରାଜ୍ୟ ବସ ଟର୍ମିନାଲ କାର୍ଯ୍ୟ ଶେଷ କରିବାକୁ ଳକ୍ଷ ରଖାଯାଇଛି ।

ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ, ସ୍ଥାନୀୟ ଓ ‘ମୋ ବସ୍‌’ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ ।
୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ କରି ଏଥିରେ ଯାତ୍ରୀ ବିଶ୍ରାମ ସ୍ଥାନ, ଫୁଡ୍‌ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଆଦି ରହିବ । ବସ୍ ଟର୍ମିନାଲ ନିର୍ମାଣ ପାଇଁ କଟକର ରିଂ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରାଯିବ ।

Leave A Reply

Your email address will not be published.