Latest Odisha News

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା; ସତର୍କତା ଜାରି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ । ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ । କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ।

 

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ସେ କହିଥିଲେ।

କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.