Latest Odisha News

ବ୍ୟକ୍ତି ଏକ, ବ୍ୟକ୍ତିତ୍ୱ ଅନେକ; ରାଜଗୋପାଳ ମିଶ୍ର !

ଭୁବନେଶ୍ୱର: ଆଉ ନାହାନ୍ତି ରାଜଗୋପାଳ ମିଶ୍ର । ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେ ଜଗତରେ ସେ ହାସଲ କରିଥିଲେ ଏକ ଅବର୍ଣ୍ଣନୀୟ ଉପାଧି । ଏହି ମହାନ ବ୍ୟକ୍ତିତ୍ୱ ୧୯୪୯ ମସିହା ଅକ୍ଟୋବର ୨୬, ବୁଧବାର ଦିନ ଜନ୍ମ ଗ୍ରହଣ କରିଥିଲେ । ବାପା ଓ ମାଆଙ୍କ ପ୍ରଦତ୍ତ ନାମ ରହିଥିଲା ରାଜ ଗୋପାଳ ମିଶ୍ର । ହେଲେ ଅଧିକାଂଶ ଲୋକଙ୍କ ପାଖରେ ସେ ରାଜୁ ମିଶ୍ର ଭାବେ ପରିଚିତ ଥିଲେ ।

ସିନୋମାଟୋଗ୍ରାଫର୍ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ମହାନ ବ୍ୟକ୍ତିତ୍ୱ ନିର୍ଦ୍ଦେଶନାରେ ବି ମହାରତ ହାସଲ କରିଥିଲେ । ଖାସ ଏହି ବ୍ୟକ୍ତିଙ୍କ ପାଇଁ ଅନେକ କଳାକାର ନିଜକୁ ଅଭିନୟ ଜଗତରେ ପ୍ରତିଷ୍ଠିତ କରାଇବା ସହ ସୁନାମ ହାସଲ କରିପାରିଥିଲେ ।

ଅଭିନେତା କିମ୍ବା ଅଭିନେତ୍ରୀଙ୍କ ଚେହେରା ଦେଖି ସେ ଫିଲ୍ମରେ ତାଙ୍କ ସଠିକ୍ ଚରିତ୍ର ନିର୍ଦ୍ଧାରଣ କରିପାରୁଥଲେ । ମହେଶ୍ୱତା ରାୟ, ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜି, ଅପରାଜିତା, ହରିହର ମହାପାତ୍ରଙ୍କ ଭଳି କଳାକାରଙ୍କୁ ସେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ କରାଇପାରିଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା କୋଟିଏରେ ଗୋଟିଏ ମନ । ୨୨ଟି ଫିଲ୍ମରେ ସେ ସିନେମାଟୋଗ୍ରାଫର୍‌ର ଭୂମିକା ତୁଲାଇଥିଲେ । ସେହିଭଳି ୧୩ଟି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ୧୨ଟି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତେବେ ଖାଲି ଅଭିନୟ କିମ୍ବା ନିର୍ଦ୍ଦେଶନାରେ ସେ ନିଜକୁ ସୀମିତ ରଖିନଥିଲେ । ଅନେକ ଫିଲ୍ମରେ ସେ କମ୍ପୋଜର୍‌, ସଙ୍ଗୀତ ନିର୍ଦ୍ଦେଶନା ଏପରିକି ସଂପାଦନାରେ ମଧ୍ୟରେ ଦକ୍ଷତା ରଖିଥିଲେ ।

ସ୍ୱର୍ଗତଃ ଅଭିନେତା ହର ପଟ୍ଟନାୟକଙ୍କୁ ଚର୍ଚ୍ଚିତ କରାଇବାରେ ରାଜୁ ମିଶ୍ର ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ପୁଅ ମୋର କଳା ଠାକୁର ଫିଲ୍ମରେ ହର ପଟ୍ଟନାୟକଙ୍କୁ ନେଗେଟିଭ କିର୍ଦାରରେ ସଜାଇ ଦର୍ଶକଙ୍କୁ ସେ ଚମକାଇଦେଇଥିଲେ । ନିଜ ଜୀବନରେ ସେ ସବୁବେଳେ ଚ୍ୟାଲେଂଜକୁ ଗ୍ରହଣ କରିବାକୁ ସେ କେବେ ବି ପଛଘୁଂଚା ଦେଇନଥିଲେ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଉପନ୍ୟାସକୁ ନେଇ ସେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ୧୯୮୩ରେ ମୟାମିରିଗ, ୧୯୯୫ରେ ନିର୍ବାଚନ ଓ ୧୯୯୪ରେ ଅରଣ୍ୟ ରୋଦନ ଭଳି ଅଣବ୍ୟବସାୟିକ ଫିଲ୍ମ ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଣ୍ଟିଥିଲେ ।

ନିରାକାରପୁର କଲେଜରେ ଜଣେ ଛାତ୍ର ନେତା ଭାବେ ସେ ଚର୍ଚ୍ଚାରେ ରହିଥିଲେ । ପରେ ମେଡିସିନ ରିପ୍ରେଜେଣ୍ଟିଭ ଭାବେ କାମ କରିଥିଲେ ବି ସେ ନିଜ ଭିତରେ ଥିବା ପ୍ରତିଭାକୁ ବିଲୀନ ହେବାକୁ ଦେଇନଥିଲେ ।

୧୯୭୭ରେ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜିନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ସିନେମାଟୋଗ୍ରାଫିରେ ଜଣେ ଶ୍ରେଷ୍ଠ ଛାତ୍ର ଭାବେ ପାସ୍ କରିଥିଲେ । ତଥାପି ବାହାର ରାଜ୍ୟ ବଦଳରେ ସେ ଓଡିଶାକୁ ନିଜ କଳାକ୍ଷେତ୍ର ରୂପେ ବାଛିଥିଲେ । ୨୦୧୧ ପର୍ଯ୍ୟନ୍ତ ସେ ଓଡିଆ ଚଳଚ୍ଚିତ୍ର ଜଗତରେ ନିଜର କଳା ଚାତୁରି ଦେଖାଇ ହାସଲ କରିଥିଲେ ଏକ ଅଦୃଶ୍ୟ ଉପାଧି ।

ଜୀବନ ସାରା କଳାରେ ମଗ୍ନ ଥିବା ସ୍ୱର୍ଗତଃ ରାଜୁ ମିଶ୍ର ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ । ସତମିଛ ଭଳି ଚଳଚ୍ଚିତ୍ର ପାଇଁ ଚିତ୍ରଗ୍ରହଣକାରୀ ଓ କାହାଣୀକାର ଭାବେ ରାଜ୍ୟ ପୁରଷ୍କାରର ହକଦାର ହୋଇଥିଲେ । ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରଷ୍କାର, ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ଚୟନ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିଲେ । ଓଡିଆ ଚଳଚ୍ଚିତ୍ର ଜଗତରେ ସେ ପ୍ରଥମେ ଫୁଜି ଫିଲ୍ମର ବ୍ୟବହାର କରି ସମସ୍ତଙ୍କୁ ଚକିତ କରିଥିଲେ । ଏଥିପାଇଁ ଫୁଜି ଫିଲ୍ମସ୍ ତରଫରୁ ଡାକରା ପାଇଁ ୧୯୯୦ରେ ବେଲଜିୟମ ଯାଇ ଏହାର ବ୍ୟବହାର ଓ କୌଶଳ ସଂପର୍କରେ ଅବଗତ ହୋଇଥିଲେ ।

ସ୍ୱର୍ଗତ ରାଜୁ ମିଶ୍ରଙ୍କ ପୁରସ୍କାର ତାଲିକାରେ ରହିଛି, ୧୯୯୮ରେ ସିନେ କ୍ରିଟିକ୍ ପୁରସ୍କାର, ୨୦୧୨ରେ ବାଇସ୍କୋପ୍ ପୁରସ୍କାର, ୨୦୧୨ରେ ଜୟଦେବ ପୁରସ୍କାର, ୨୦୧୭ରେ ଅକ୍ଷୟ ସାହିତ୍ୟ ପୁରସ୍କାର ଓ ୨୦୨୦ରେ ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ । ତାଙ୍କ ନିଧନରେ କ୍ଷତି ନୁହେଁ ବରଂ ଓଡିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ କହିଲେ କିଛି ଭୁଲ ହେବନି ।

Leave A Reply

Your email address will not be published.