Latest Odisha News

BREAKING NEWS

ଢେଙ୍କାନାଳ ଝିଙ୍କିରିଗଡ଼ି ଜଙ୍ଗଲରେ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ହେଉଥିବା ମୂଲ୍ୟବାନ ଗଛକଟାକୁ ତୁରନ୍ତ ବନ୍ଦ କରିବାକୁ ରବିବାର ଦିନ ବିଭାଗୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କମିଶନର (ଆରଡ଼ିସି)ଙ୍କୁ ଏହି ଘଟଣାର ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଓଡ଼ିଶା ବିଧାନସଭାରେ ଚଳିତ ଶୀତକାଳୀନ ଅଧିବେଶନରେ ଶନିବାର ଦିନ ଏହି କଛକଟାକୁ କେନ୍ଦ୍ରକରି ତୁମ୍ଫିତୁଫାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ଲାଗି ହେଉଥିବା ମୂଲ୍ୟବାନ ଗଛକଟାକୁ ବଳରାମପୁର ଏବଂ ଆଖପାଖ ଗ୍ରାମବାସୀମାନେ ଘୋର ବିରୋଧ କରିଥିଲେ ।

ଗଛକଟାକୁ ନେଇ ପୋଲିସ ଓ ମହିଳା ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ବିଧାନସଭାରେ ବିରୋଧ କରାଯାଇଥିଲା ।

ବିଧାନସଭାରେ ଶନିବାର ଏହି ପ୍ରସଙ୍ଗକୁ ଉଠାଇ ବିଜେପି ବିଧାୟକଦଳ ନେତା କେ ଭି ସିଂହଦେଓ କହିଥିଲେ, ରାଜ୍ୟ ସରକାର ଯେତେବେଳେ ନଦୀକୂଳରେ ଚାରା ରୋପଣ କରିବାକୁ ସ୍ଥିର କରିଛନ୍ତି, ସେହିପରି ଅନ୍ୟପକ୍ଷରେ ଝିଙ୍କରଗଡ଼ି ଜଙ୍ଗଲରେ ପ୍ରାୟ ୨୦,୦୦୦ ମୂଲ୍ୟବାନ ବୃକ୍ଷ ଚ୍ଛେଦନ ଲାଗି ଆଦେଶ ଦେଇଛନ୍ତି । “ଏହା ରାଜ୍ୟ ସରକାରଙ୍କ ଦୋହରା ନୀତିର ପ୍ରମାଣ,”ବୋଲି କହିଥିଲେ ବିଜେପି ନେତା କେ ଭି ସିଂହଦେଓ ।

ବିଜେପି ନେତାଙ୍କର ଏହି ପ୍ରଶ୍ନର ଉତ୍ତରରେ ରାଜ୍ୟ ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା କହିଥିଲେ, ଜଙ୍ଗଲରେ ଯେତେ ବୃକ୍ଷ ନଷ୍ଟ ହେବ ତାହାର ଦ୍ୱିଗୁଣା ପରିମାଣର ବୃକ୍ଷ ରୋପଣ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି, ବିୟର ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ଇଡ଼କୋ ପକ୍ଷରୁ ମ୍ୟାନୁଫାକ୍ଟରିଂ କମ୍ପାନୀକୁ ଜମି ଯୋଗାଇ ଦିଆଯାଇଥିଲା । ସେହି ଜଙ୍ଗଲ ନିକଟବର୍ତ୍ତୀ ରାଜସ୍ୱ ବିଭାଗର ଜମିରେ ପ୍ରାୟ ୬୦୦ରୁ ୭୦୦ ବୃକ୍ଷ ଚାରା ରୋପଣ କରାଯିବ ବୋଲି ସେ କହିଛନ୍ତି ।

 

ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଏ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବର୍ଷ ବର୍ଷ ଧରି ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକର ଯତ୍ନ ନେଉଥିବା ତଥା ଗଛର ସୁରକ୍ଷା ପାଇଁ ଗଛକଟାକୁ ବିରୋଧ କରୁଥିବା ୨ଜଣ ଗ୍ରାମବାସୀଙ୍କୁ ପୋଲିସ ପକ୍ଷରୁ ଗିରଫ କରାଯାଇଛି । “କେବଳ ମସ୍ତିଷ୍କବିକୃତି ଘଟିଥିବା କୌଣସି ସରକାର ଏପରି ନିଷ୍ପତ୍ତି ନେଇପାରେ,” ବୋଲି କହିଥିଲେ ବରିଷ୍ଠ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଏ ।

ମୁଖ୍ୟମନ୍ତ୍ରୀ ନବୀନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନଭେମ୍ବର ୩ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ତେବେ ଏହି ପ୍ରକଳ୍ପଟି ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହେବାର ଥିଲେ ମଧ୍ୟ ଗ୍ରାମବାସୀଙ୍କ ଘୋର ବିରୋଧ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।

ବଳରାମପୁର ଗ୍ରାମବାସୀ ରବିବାର ସାରାଦିନ ଝିଙ୍କିରିଗଡ଼ି ଜଙ୍ଗଲରେ ଏକତ୍ରୀତ ହୋଇଥିଲେ, ଅଧିକାଂଶ ମହିଳା ଯେଉଁଗଛ ଗୁଡ଼ିକ କଟାଯାଇଥିଲା ସେଗୁଡ଼ିକୁ ଜାବୋଡ଼ି ଧରି କାନ୍ଦୁଥିବାର ଦେଖାଯାଇଥିଲା ।

ଇତିମଧ୍ୟରେ, କଛକଟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯେଉଁ ୨୦ଜଣ ଗ୍ରାମବାସୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା ସେମାନଙ୍କୁ ଖଲାସ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.