Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ବଡ଼ଗେଶ୍ୱର ମନ୍ଦିର

ଗୋଟିଏ ଦିନ ସକାଳ ବେଳା ଦୁଇଟି ମନ୍ଦିର ଦେଖିବାର ସୌଭାଗ୍ୟ ବହୁତ କମ୍‌ ଲୋକଙ୍କୁ ମିଳେ। ମୋତେ କିନ୍ତୁ ଗୋଅାରେ ମିଳୁଥିଲା । ଶ୍ରୀ ସପ୍ତ କୋଟେଶ୍ୱରଙ୍କୁ ଦର୍ଶନ କରିବା ପରେ ଅାମେ ବାହାରିଥିଲୁ ଅାଉ ଏକ ମନ୍ଦିର ଅଭିମୁଖେ। ହେଲେ ସକାଳୁ କିଛି ଖାଇନଥିବାରୁ ଅାମେ ରାସ୍ତାରେ ରହିଲୁ ଏକ ରେଷ୍ଟୁରାଣ୍ଟରେ ଜଳଖିଅା ଖାଇବା ପାଇଁ। ଯାହା ଅାମ ଗାଡ଼ି ଚାଳକ ଠିକ୍‌ କରିଥିଲେ। ଅାମେ ପହଞ୍ଚିବା ବେଳକୁ ରେଷ୍ଟୁରାଣ୍ଟରେ ଏତେ ଗହଳି ନଥିଲା। ପୁରୀ ଭାଜି ମୁଁ ଖାଇବା ପାଇଁ ଅର୍ଡର ଦେଲି କିନ୍ତୁ ମୋ ଗାଡ଼ି ଚାଳକ ଗୋଅାରେ ସ୍ୱତନ୍ତ୍ର ପ୍ରସ୍ତୁତ ହେଉଥିବା ଲଙ୍କାଭାଜି ଅାଣି ଦୁଇ ପିସ୍‌ ଦେଲେ ମୁଁ ରାଗ ହେବା ଭୟରେ ମନା କଲେ ମଧ୍ୟ ସେ କହିଲା କେବଳ ଟେଷ୍ଟ କରିବା ପାଇଁ।

ପ୍ରକୃତରେ ରେଷ୍ଟୁରାଣ୍ଟଟି ବାହାରୁ ଏତେ ବଡ଼ ଦେଖାଯାଉ ନଥିଲେ ମଧ୍ୟ ସେଠାରେ କିନ୍ତୁ ସୁସ୍ୱାଦୁ ଖାଦ୍ୟ ମିଳିବ ବୋଲି ମୋର ଧାରଣା ନଥିଲା। ଲଙ୍କା ଭାଜିର ରାଗକୁ ନେଇ ମୁଁ ଯେଉଁ ଭୟ କରୁଥିଲି ତାହା ମଧ୍ୟ ଦୂର ହେଲା ଖୁବ୍‌ ସୁସ୍ୱାଦୁ ଥିଲା ତାହା। ଅବଶ୍ୟ ଅାମେ ଓଡ଼ିଶାରେ ବିଭିନ୍ନ ମେଳା ବୁଲିବା ସମୟରେ ଏହି ଛଣା ଲଙ୍କା ଖାଇଥିବ। ଯାହାକୁ କେହି କେହି ସିମଲା ଲଙ୍କା ମଧ୍ୟ କହିଥାନ୍ତି। ହେଲେ ଯେଉଁ ମସଲା ଅାଉ ଅାଣରେ ଏହା ପ୍ରସ୍ତୁତ ହୋଇଥିଲା ପ୍ରକୃତରେ ତାହା ବର୍ଣ୍ଣନା କରିହେବନାହିଁ । କୁହାଯାଏ ଭାଗ୍ୟରେ ଥିଲେ ମିଳେ ସେହି ନ୍ୟାୟରେ ଦେବଦେବ ମାହାଦେବଙ୍କ ଦର୍ଶନ ପରେ ଏପରି ଖାଦ୍ୟ ତାଙ୍କ ଅାର୍ଶୀବାଦରୁ ମିଳିଲା ବୋଲି ଭାବି ଅାମେ ଅାମର ପୁଣି ଯାତ୍ରା ଅାରମ୍ଭ କରିଥିଲୁ। ଅାମର ଗନ୍ତବ୍ୟସ୍ଥଳୀ ଥିଲା ଶ୍ରୀସପ୍ତଶ୍ୱର ଭଗବତୀ ମନ୍ଦିର । ଯାହା ରହିଥିଲା ପାମେମ୍‌ ତାଲୁକାର ପାସେର୍ମ ଠାରେ। ଅାମେ ମନ୍ଦିର ନିକଟରେ ପହଁଚିବା ବେଳକୁ ମନ୍ଦିରରେ ଅନେକ ଭକ୍ତଙ୍କ ସାମାଗମ ଥିଲା।

ପ୍ରକୃତରେ ମୁଁ ମନ୍ଦିର ନିକଟରେ ଯାହା ଦେଖିବାକୁ ପାଇଲି ତାହା ଗୋଟିଏ ମନ୍ଦିର ନଥିଲା।ପାଞେ୍ଚାଟି ମନ୍ଦିର ରହିଥିଲା ଏହି ସ୍ଥାନରେ।ଅାମେ ପ୍ରଥମେ ମା’ଭଗବତୀଙ୍କୁ ଦର୍ଶନ କରିଥିଲୁ।ଏହା ପରେ ପ୍ରତି ମନ୍ଦିରକୁ ଯାଇ ସେଠାରେ ଉପାସିତ ହେଉଥିବା ଦେବାଦେବୀଙ୍କ ଦର୍ଶନ କଲୁ। ଏଠାରେ ଶ୍ରୀସାତେରୀ, ଶ୍ରୀଦେବ ରାବଲନାଥ,ଶ୍ରୀଦେବ ଭିଭାଙ୍ଗୀପଞ୍ଚାକ୍ଷରୀ ଦେବାଦେବୀଙ୍କ ମନ୍ଦିର ରହିଛି। ମନ୍ଦିର ବାହାରେ ବୁଲିବା ସମୟରେ ମୁଁ ଏକ ଭିନ୍ନତା ଏଠାରେ ଦେଖିବାକୁ ପାଇଲି। ଗୋଅାରେ ମୁଁ ଦେଖିଥିବା ପ୍ରାୟ ସମସ୍ତ ମନ୍ଦିରରେ ଗୋଟିଏ ଦୀପସ୍ତମ୍ଭ ଦେଖିବାକୁ ପାଇଥିଲି ହେଲେ ଏହି ମନ୍ଦିରରେ ଦୁଇଟି ଦୀପସ୍ତମ୍ଭ ଦେଖିବାକୁ ପାଇଥିଲି ଏହା କାରଣ କଣ ହୋଇଥିବ ତାହା ଜାଣିବାକୁ ଚେଷ୍ଟା କଲେ ମଧ୍ୟ ସେମିତି ସୁଯୋଗ ମୋତେ ମିଳିନଥିଲା। ତାପରେ ମୋର ପ୍ରଶ୍ନ ପଚାରିବା କଥା ଯାଣିବା ମାତେ୍ର ମୋ ଗାଡ଼ି ଚାଳକଙ୍କ ଅବସ୍ଥା ଖରାପ ହୋଇଯାଉଥିଲା ତେଣୁ ଅାଉ ବେଶି ସମୟ ସେଠାରେ ନ ରହି ମୁଁ ଫେରିବାକୁ ମନସ୍ଥ କଲି ।

ତେବେ ଫେରିବା ସମୟରେ ନିକଟରେ ଥିବା ଅାଉ କିଛି ଦର୍ଶନୀୟ ସ୍ଥାନ ଦେଖିବା ପାଇଁ ଅାମେ ସ୍ଥିର କଲୁ। ଯାହା ଗାଡ଼ି ଚାଳକ ଅାମକୁ ସୂଚନା ଦେଲେ ମାପୁସା ସହରର ନିକଟରେ ଅାଉ ଏକ ଶ୍ରୀ ବଡଗେଶ୍ୱର ମନ୍ଦିର ରହିଛି ମୁ ତା କଥା ଶୁଣି ସେଠାକୁ ଯିବା ପାଇଁ ଇଛା ପ୍ରକାଶ କରିଥିଲି। ତା ପରେ ଗାଡ଼ି ଚାଳକ ଯାହା ସୂଚନା ଦେଇଥିଲେ ଶ୍ରୀ ବଡ଼ଗେଶ୍ୱରଙ୍କୁ ସ୍ଥାନୀୟ ବାସିନ୍ଦା ବୋଙ୍ଗିନୀ ବୋଲି କହିଥାନ୍ତି। ସେ ଅାହୁରି ମଧ୍ୟ ସୂଚନା ଦେଇଥିଲେ ଯେ କେହି କେହି ବାବା କନକେଶ୍ୱର ବୋଲି ସମ୍ବୋଧନ ମଧ୍ୟ କରିଥାନ୍ତି। ଏହାରି ଭିତରେ ଅାମେ ବାବା ବଡ଼ଗେଶ୍ୱରଙ୍କ ମନ୍ଦିରରେ ପହଁଚି ସାରିଥିଲୁ। ଏକ ଶାନ୍ତ ଶିତଳ ସବୁଜିମା ଭରା ପରିବେଶରେ ଏହି ମନ୍ଦିରଟି ଅବସ୍ଥିତ ଥିବା ଅାମେ ଦେଖିବାକୁ ପାଇଲୁ ।

ମନ୍ଦିରଟି ମଧ୍ୟ ଦେଖିବାକୁ ଖୁବ୍‌ ସୁନ୍ଦରଥିଲା। ମନ୍ଦିର ଭିତରେ ଅାମେ ବୁଲିବା ସମୟରେ କିନ୍ତୁ ମୋ ଗାଡ଼ି ଚାଳକ ଖୁବ୍‌ ଉତ୍କଣ୍ଠା ପୂର୍ଣ୍ଣ ଥିଲା। ବାବାଙ୍କ ଦର୍ଶନ ସାରିବା ମାତ୍ରେ ସେ ମୋତେ ଏହି ମନ୍ଦିର ସଂପର୍କରେ ସୂଚନା ଦେବା ଅାରମ୍ଭ କଲା। ତା ସୂଚନା ଅନୁସାରେ ବାବା କନକେଶ୍ୱର ହେଉଛନ୍ତି ପ୍ରତ୍ୟକ୍ଷ ଠାକୁର। ଭକ୍ତ ମାନେ ଏଠାରେ ଯାହା ମନୋସ୍କାମନା ରଖିଥାନ୍ତି ତାହା ପୂରଣ ହେବାର ବିଶ୍ୱସା ରହିଛି। ଏପରିକି ଭକ୍ତ ମାନେ ନିଜର ଯାଚଜ୍ଞା ମଧ୍ୟ ଏଠାରେ ବାବା ଙ୍କ ନିକଟରେ ସମର୍ପଣ କରିବାର ପରମ୍ପରା ରହିଛି।ଏବଂ ଏଠାରେ ପ୍ରତ୍ୟକ ବର୍ଷ ଡିସେମ୍ବର କିମ୍ବା ଜାନୁଅାରୀ ମାସରେ ଏକ ବିରାଟ ଉତ୍ସବ ଅାୟୋଜିତ ହୋଇଥାଏ ଯେଉଁଥିରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

ଏମିତି ଅନେକ କଥା ସେ ମୋତେ ଏକା ନିଶ୍ୱାସରେ ସୂଚନା ଦେଇ ଚାଲିଲେ। ଅାଉ ତା ପରେ ମୁଁ ମୋ ଗାଡ଼ି ଚାଳକଙ୍କୁ ପଚାରିଲି ଏ ବାବା କନକେଶ୍ୱରଙ୍କ କଥା ସେ ଏତେ କିପରି ଜାଣିଲେ। ସେ ସାମାନ୍ୟ ମୁରୁକି ହସା ମୋତେ ଯଣାଇଲେ ଯେ ବାବା ତାର ମଧ୍ୟ ମନୋସ୍କାମନା ପୂର୍ଣ୍ଣ କରିଛନ୍ତି। ମୁଁ ତାର କେଉଁ ମନୋସ୍କାନା ପୂର୍ଣ୍ଣ ହୋଇଛି ଯାଣିବାକୁ ଚାହିଁଥିଲେ ବି ସେ କିନ୍ତୁ ତାହା ବୋଧେ ଜଣାଇବାକୁ ଚାହୁଁନଥିଲା।

ତେଣୁ ମୁଁ ଅାଉ ବିଶେଷ ଭାବେ ଯାଣିବାକୁ ଚାହିଁନଥିଲି। ହେଲେ ତାର ଏଇ କଥା ମୋତେ ମନେ ପକାଇଦେଉଥିଲା ପ୍ରକୃତରେ ଭଗବାନ ଭକ୍ତର ବିଶ୍ୱାସ ହିଁ ଅଛନ୍ତି । ବିଶ୍ୱାସର ସହ ନିଜକୁ ତାଙ୍କ ନିକଟରେ ସମର୍ପଣ କଲେ ସେ ନିଶ୍ଚତ କଥା ଶୁଣନ୍ତି। ଅାଉ ସେଥିପାଇଁ ବୋଧେ କୁହାଯାଇଛି ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂର…। ତେବେ କନକେଶ୍ୱରଙ୍କ ଦର୍ଶନ ସାରି ଅାମେ ଅାମ ହୋଟେଲକୁ ଫେରିବା ପାଇଁ ବାହାରିଥିଲୁ…(କ୍ରମଶଃ)

Leave A Reply

Your email address will not be published.