Latest Odisha News

BREAKING NEWS

‘ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ’

ଭୁବନେଶ୍ୱର: ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମା’ କୋଳରୁ ଚୋରି ହୋଇଥିବା ଶିଶୁ ପୁତ୍ରକୁ ବାଲେଶ୍ବରରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣଁ ମାଝୀ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା’ କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି ।

ସମ୍ପୃକ୍ତ ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ।

ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ । ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି । ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ୨ଟା‌ ସମୟରେ ରାମ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମା’ ପାଖରୁ ତାର ଦେଢ ବର୍ଷର ଶିଶୁ ପୁତ୍ରକୁ ନାନା ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା ଦୁର୍ବୁତ୍ତ । ଏନେଇ ଖାରବେଳନଗର ଥାନାରେ ଏତଲା ଦେଇଥିଲା ମାଆ । ଏହାପରେ ସିସିଟିଭି ଫୁଟେଜ୍‌କୁ ଆଧାରରେ ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

ଏହି ଆଧାରରେ ପୁଲିସ ଅପହରଣକାରୀକୁ ଧରିବାକୁ ୫ଟି ଟିମ୍‌ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା । ଏହା ସହ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଚୋରି ହୋଇଥିବା ଶିଶୁପୁତ୍ରକୁ ଆଜି ପୂର୍ବାହ୍ନରେ ବାଲେଶ୍ବରରୁ କମିସନରେଟ୍‌ ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ।

Comments are closed.