Latest Odisha News

BREAKING NEWS

ପାସିଂ ଆଉଟ୍ ପରେଡ୍‌ରେ ନୂଆ ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ସାମିଲ ହୋଇଛନ୍ତି ଆଉ ୩୩୬ ଜଣ ନୂଆ ସବ୍-ଇନ୍ସପେକ୍ଟର (ଏସ୍‌ଆଇ) । ଆଜି ଅନୁଷ୍ଠିତ ଏକ ଭବ୍ୟ ପାସିଂ ଆଉଟ୍ ପରେଡ୍ ଉତ୍ସବରେ ଏହି ନବନିଯୁକ୍ତ ଏସ୍‌ଆଇମାନେ ଦେଶ ତଥା ରାଜ୍ୟ ସେବା ପାଇଁ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଅଫିସରମାନଙ୍କୁ ସମାଜ ପ୍ରତି ସେମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟନିଷ୍ଠା ଓ ସଚ୍ଚୋଟତା ସମ୍ପର୍କରେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ବିଶେଷ କରି ଦୁର୍ନୀତିଠାରୁ ଶହେ ହାତ ଦୂରରେ ରହିବାକୁ ସେ କଡ଼ା ଚେତାବନୀ ଦେଇଛନ୍ତି ।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବ୍ୟାଚ୍‌ରେ ୭୦ ଜଣ ମହିଳା ସବ୍-ଇନ୍ସପେକ୍ଟର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ନାରୀ ସଶକ୍ତିକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି କହିଛନ୍ତି ।

ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଦିନଟି କେବଳ ଏକ ଔପଚାରିକ ପରେଡ଼ ନୁହେଁ, ବରଂ ନିଷ୍ଠା, ଶୃଙ୍ଖଳା, ତ୍ୟାଗ ଓ ଉତ୍କର୍ଷର ଉତ୍ସବ । ପୋଲିସ ପୋଷାକ କେବଳ ଏକ ୟୁନିଫର୍ମ ନୁହେଁ, ଏହା ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ସମାଜ ସେବାର ଗୁରୁଦାୟିତ୍ୱ ବହନ କରେ । ବର୍ଦ୍ଦି ଦେଉଥିବା କ୍ଷମତାର ସଦୁପଯୋଗ କରି ପ୍ରତ୍ୟେକ ଅଧିକାରୀ ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ ।

ନବନିଯୁକ୍ତ ପୋଲିସ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ପୋଲିସ ବିଭାଗ ହେଉଛି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ସବୁଠାରୁ ବଡ଼ କେନ୍ଦ୍ର । ଯେଉଁ ବିଭାଗରେ ଆପଣମାନେ କାର୍ଯ୍ୟ କରିବାକୁ ଯାଉଛନ୍ତି, ସେଠାରେ ବିଭିନ୍ନ ସମୟରେ ଅନେକ ପ୍ରକାରର ଆର୍ଥିକ ତଥା ଅନ୍ୟାନ୍ୟ ପ୍ରଲୋଭନ ଆସିବା ସ୍ୱାଭାବିକ । କିନ୍ତୁ ଜଣେ ସଚ୍ଚୋଟ ଏବଂ ନିଷ୍ଠାପର ଅଫିସର ଭାବେ ଏହି ସମସ୍ତ ପ୍ରଲୋଭନଠାରୁ ନିଜକୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରଖିବାକୁ ପଡ଼ିବ । ଦୁର୍ନୀତିକୁ ଏକ ମାରାତ୍ମକ ‘ବିଷ’ ସହ ତୁଳନା କରି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଖାକି ବର୍ଦ୍ଦି ପିନ୍ଧିବା ପରେ ଦୁର୍ନୀତିକୁ ବିଷ ମନେ କରି ସେଥିରୁ ବିରତ ରହିବା ଆବଶ୍ୟକ ।

ଏହି ଅବସରରେ ଦୁର୍ନୀତି ପ୍ରତି ବର୍ତ୍ତମାନର ସରକାରଙ୍କ କଠୋର ଆଭିମୁଖ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ଦୁର୍ନୀତି ବିରୋଧରେ ଆମ ସରକାର ‘ଶୂନ୍ୟ ସହନଶୀଳ’ ନୀତି ଆପଣାଇଛନ୍ତି । ଯଦି କୌଣସି ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ନିଶ୍ଚିତ ଭାବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତିଖୋରଙ୍କୁ କୌଣସି ପରିସ୍ଥିତିରେ ବି ଅନୁକମ୍ପା ଦେଖାଯିବ ନାହିଁ ବୋଲି ସେ ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ।

Comments are closed.