Latest Odisha News

BREAKING NEWS

ପ୍ରକୃତ ଲକ୍ଷ୍ୟରୁ ବାଟବଣା ହେଉଛି କି ମୋ ସରକାର ? ଆସିଲା ଅଭିଯୋଗ, ଜବାବ ରଖିଲେ ଜିଲ୍ଲାପାଳ

ଢେଙ୍କାନାଳ : ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ପ୍ରଶାସନ ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ। ଜିଲା କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବ। ବୃତ୍ତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି।

ଆମେ ଏସବୁ ମନରୁ କହୁନୁ, ଏକଥା କିଛି ଲେଖା ଯାଇଛି ସମସ୍ତ ସରକାରୀ କାର୍ଯ୍ୟାଳୟ, ପୋଲିସ ଥାନାରେ। ମୋ ସରକାର ଏବଂ ୫-ଟି ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଢ଼ାଇବା ଲକ୍ଷ୍ୟରେ ଏସବୁ କାନ୍ଥରେ ମରାଯାଇଛି । ତେବେ ବାସ୍ତବିକତା କିଛିଟା ଭିନ୍ନ ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନ ଏବଂ ଜନତାଙ୍କ ମଧ୍ୟରେ ସୁ-ସମ୍ପର୍କ ଓ ସମନ୍ବୟ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିବାବେଳେ ସରାକାରୀ ବାବୁମାନଙ୍କ ହେୟଜ୍ଞାନ ଯୋଗୁ ଏହାର ପ୍ରକୃତ ଲକ୍ଷ୍ୟ ବାଟବଣା ହେଉଥିବା ବୁଦ୍ଧିଜୀବୀ କହିଛନ୍ତି, ଅଭିଯୋଗ ବି ଆସିଛି । ସମସ୍ୟା ଜଣାଇବାକୁ ଦପ୍ତରକୁ ଧାଇଁ ଆସୁଥିବା ହିତାଧିକାରୀଙ୍କ ଦୁଃଖ ଶୁଣିବା ତ ଦୂରର କଥା, ବାବୁମାନେ ସେମାନଙ୍କୁ କୁଆଡେ ପାଖ ପୂରାଇ ଦେଉନାହାନ୍ତି। ପଚାରିଲେ ଉପରଠାଉରିଆ ଉତ୍ତର ଦେଉଛନ୍ତି। ନଶୁଣିବା ପରି ବ୍ୟବହାର କରୁଛନ୍ତି।

ଯଦିଓ ସରକାରୀ ଦପ୍ତରରେ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ବଚ୍ଛତା, ପରିବର୍ତ୍ତନ ଏବଂ ସମୟ ସୀମା ପ୍ରମୁଖ ୫ ବିଷୟକୁ ଗୁରୁତ୍ୱ ଦିଆଯିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ତେବେ ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଭଳି, ଢେଙ୍କାନାଳ ଜିଲାରେ ଏସବୁ ବ୍ୟବସ୍ଥାମାନ ପାଳନ କରିବା ଲାଗି ଅଧିକାରୀମାନେ ଆନ୍ତରିକତା ଦେଖାଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏପରକି ବ୍ଲକ ସଦର, ଉପଖଣ୍ଡର ସରକାରୀ କାର୍ଯ୍ୟାଳୟକୁ ଦୂରଦୂରାନ୍ତରୁ ଆସୁଥିବା ଆଶାୟୀଙ୍କୁ ବାବୁମାନେ ବେଖାତିର କରିବା ସହ କଟୂ ମନ୍ତବ୍ୟ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।  ଭୟରେ କିନ୍ତୁ ଅଧିକାରୀଙ୍କ ବିରୋଧରେ ସ୍ବର ଉଠାଇବାକୁ ଗରିବ ଲୋକେ ସାହସ ଜୁଟାଇ ପାରୁନାହାନ୍ତି।

ସୂଚନା ଅନୁସାରେ ଆଞ୍ଚଳିକସ୍ତରରେ ଠିକ୍‌ ଭାବେ ଅଭିଯୋଗ ଶୁଣାଯାଉ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ଅଭିଯୋଗ ଶୁଣାଣିରେ ଅଭିଯୋଗଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲ୍ଲାର ଆଦିବାସୀ ଅଞ୍ଚଳବାସୀ ଜରୁରୀ ସମୟରେ ଫୋନ୍‌ କଲେ ଅଧିକାରୀ ସହଯୋଗ କରିବା ବଦଳରେ ଡିଷ୍ଟର୍ବ ନ କରିବାକୁ ତାଗିଦ କରୁଥିବା କଥା ଆଗକୁ ଆସିଛି। ବଡ଼ କଥା ହେଲା କିଛି ନିର୍ଦ୍ଦିଷ୍ଚ ବ୍ୟକ୍ତିବିଶେଷଙ୍କ ପ୍ରତି କିନ୍ତୁ ପ୍ରଶାସନ ଭିନ୍ନ ଢଙ୍ଗରେ ବ୍ୟବହାର କରୁଛି ବୋଲି ଚର୍ଚ୍ଚା ହେଉଛି। ସେପଟେ ଏସମ୍ପର୍କରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କୁହିଛନ୍ତି, ‘ମୋ ସରକାର’ ଓ ୫-ଟି ନିୟମାବଳୀ ଉପରେ ଅଧିକାରୀମାନେ ସଚେତନ ଅଛନ୍ତି କିନ୍ତୁ ଯଦି ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ ବୋଲି ଅଭିଯୋଗ ହୋଇଛି, ତାହେଲ ଏଥିପ୍ରତି ଦୃଷ୍ଟି ଦିଆଯିବ।

 

Leave A Reply

Your email address will not be published.