Latest Odisha News

BREAKING NEWS

ଶୁଆଙ୍କୁ ତାଲିମ ଦେବା ନାଁରେ ନିର୍ଯାତନା; ଯୁବକଙ୍କ ବିରୋଧରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ଅଭିଯୋଗ

ଭୁବନେଶ୍ୱର: ବନ୍ୟ ପ୍ରାଣୀ ଆଇନ ଉଲଂଘନ କରୁଥିବା ନେଇ କେଉଁଝର ଜିଲ୍ଲା ବାଂଶପାଳ ଗ୍ରାମର ଜଣେ ଯୁବକ ଚିନ୍ମୟ ମହାନ୍ତଙ୍କ ବିରୋଧରେ ଆସିଛି ଅଭିଯୋଗ । ଚିନ୍ମୟ ଭାଇ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରେ ଭାରତୀୟ ଶୁଆ (Alexandrine Parakeet ) ଆଲେକଜାଣ୍ଡ୍ରିନ ପାରାକିଟ୍ ସହିତ ଶତାଧିକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିସହିତ, ଲୋକମାନଙ୍କୁ ଶୁଆ ଶିକାର କରିବା ପାଇଁ ଉତ୍ସାହିତ କରୁଛନ୍ତି । ଏ ନେଇ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ  ତାଙ୍କ ବିରୁଦ୍ଧରେ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ ଉଲ୍ଲଘଂନ ୧୯୭୨ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଙ୍କୁ ଇମେଲ ଜରିଆରେ ଚିଠି ଲେଖିଛନ୍ତି ।

ଚିନ୍ମୟ ତାଙ୍କ ୟୁଟ୍ୟୁବ ଚାନେଲରେ ଶୁଆକୁ ତାଲିମ ଦେବା ସହ ଲାେକଙ୍କୁ ବି ତାଲିମ ଦେଉଥିଲେ । କିପରି ଶୁଆକୁ ପୋଷା ମନାଇବ, ଶୁଆ କିପରି କଥା କହିବ, ଶୁଆ କପରି କାମୁଡିବ ନାହିଁ..ଇତ୍ୟାଦି । ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରାଉଥିଲେ ।   ଗୋଟିଏ ଭିଡିଓରେ ଚିନ୍ମୟ ଶୁଆ କିପରି କଥା କହିବ ତାହା  ଶିଖାଉଛନ୍ତି । ସେଇ ଭିଡିଓରେ ଶୁଆର ଉଭୟ ପଟ କଣ ପୁଡାରେ ସୋରିଷ ତେଲ ପକେଇବା ସହିତ ଲୋକଙ୍କୁ ସେଇଆ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଏହା ବନ୍ୟ ପ୍ରାଣୀ ଆଇନର ଖୋଲା ଉଲଂଘନ ସହିତ  ଜୀବେ ନିଷ୍ଠୁରତା ନିରାକରଣ ଆଇନ, ୧୯୬୦ ର ମଧ୍ୟ ଉଲଂଘନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ଅନ୍ୟ ଏକ ଭିଡିଓରେ ଶୁଆ କିପରି ମଣିଷଙ୍କୁ କାମୁଡିବ ନାହିଁ, ସେଇ ବିଷୟରେ ଲୋକଙ୍କୁ ଡେମୋ ଦେଖେଇବା ପାଇଁ ଯାଇ ଏକ ଲୁହ ଛଡକୁ କାମୁଡିବାକୁ ଦେଉଛନ୍ତି । ଲୁହ ଛଡକୁ କାମୁଡିବା ଦ୍ଵାରା ଶୁଆଟିର ଥଣ୍ଟ ନିଶ୍ଚୟ କ୍ଷତିଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ । ଆଉ ଏକ ଭିଡିଓରେ ଦୁଇଟି ଶୁଆଙ୍କୁ ଡାଲି ଭାତ ଖୁଆଇବା ମଧ୍ୟ ଶିଖାଯାଉଛି ।

ଶୁଆ ଶିକାର କରିବା ବା ଘରେ ପୋଷିଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଆର୍ଥିକ ଜୋରିମାନାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଛି । ଏଣୁ, ଚିନ୍ମୟ ମହାନ୍ତଙ୍କୁ ଗିରଫ କରିବା ସହିତ ଓଡ଼ିଶାରେ ଯେଉଁ ସବୁ ବ୍ୟକ୍ତି ମାନେ ସାପ, ମାଙ୍କଡ, ଶୁଆ ଆଦି ବନ୍ୟ ପ୍ରାଣୀଙ୍କ ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରୁଛନ୍ତି ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ସେମାନଙ୍କୁ ମଧ୍ୟ ଗିରଫ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । ଖାଲି ସେତିକି ନୁହେଁ,  ୟୁଟ୍ୟୁବ କମ୍ପାନୀ ସେଇ ସବୁ ଚାନେଲକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେବା ଉଚିତ ବୋଲି କହିଛନ୍ତି ଶୁଭେନ୍ଦୁ ।

Leave A Reply

Your email address will not be published.