Latest Odisha News

BREAKING NEWS

ପୁସ୍ତକ ପରିଚୟ ମକର ରାଶିର ଝିଅ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା

ଗଳ୍ପ ସଙ୍କଳନ : ମକର ରାଶିର ଝିଅ
ଗାଳ୍ପିକ : ମଳୟ ମିଶ୍ର
ପ୍ରକାଶକ : ଦୃଷ୍ଟିପାତ
ପୃଷ୍ଠା ସଂଖ୍ୟା : ୪୨
ମୂଲ୍ୟ : ୫ ଟଙ୍କା ମାତ୍ର

ଝିଅଟିଏ, ସେ ପୁଣି ମକର ରାଶିର !   ସତକୁ ଗପ ପରି ପରଷି ଦେବା ହେଉଛି ଗଳ୍ପ କଳା ଏବଂ ସେହି କଳାକୁ ଖୁବ ସୁନ୍ଦର ଭାବରେ ପରଶି ପାରନ୍ତି ଗାଳ୍ପିକ ମଳୟ ମିଶ୍ର।

୨୫ ବର୍ଷ ତଳର ସେଇ ମକର ରାଶିର ଝିଅକୁ ଆଜି ଯଦି ପାଠକଙ୍କ ସାମ୍ନାରେ ରଖାଯାଏ ତାହେଲେ ହୁଏତ ଆଜି ଏହାକୁ କେହି ବିରୋଧ କରିବେନି। ଆଜି ଯେଉଁଠି ଲିଭିଂ ରିଲେସନସିପ୍ ଲିଗାଲ୍ ହେଲାଣି, ଯେଉଁଠି ପରକିୟା ପ୍ରୀତିକୁ ବୈଧ ବୋଲି କୋର୍ଟ କହିଲାଣି ସେଠି ଏବେ ନୀରାର ଖୋଲା ମନ ଖୋଲା ପ୍ରେମ ଖୋଲା ପ୍ରତାରଣାକୁ କେହି ବିରୋଧ କରିବାର ପ୍ରଶ୍ନ ଉଠୁନି। କାରଣ ୨୫ ବର୍ଷ ତଳେ ଲୋକଙ୍କ ସାମାଜିକ ଚିନ୍ତାଧାରା ଯାହା ଥିଲା ତାହା ଆଜି ନାହିଁ। ଆଜି ବଦଳି ଯାଇଛି ଲୋକଙ୍କ ସାମାଜିକ ଚିନ୍ତାଧାରା, ପାଠକଙ୍କ ଚିନ୍ତା ଓ ଚେତନାର ସ୍ତର। ୨୫ ବର୍ଷ ପରେ ଯେଉଁ ସତ୍ୟକୁ ପାଠକ ସ୍ବୀକାର କରିବେ ତାହାକୁ ୨୫ ବର୍ଷ ପୂର୍ବରୁ ଆକଳନ କରି ସାରିଥିଲେ ଗାଳ୍ପିକ । ଏହି ଆକଳନ ହିଁ ଜଣେ ଗାଳ୍ପିକକୁ ସଫଳ ବା ବିଫଳ ହେବାରେ ସହାୟକ ହୋଇଥାଏ।

ପୁରୁଷଟେ ଗୋଟିଏ ନାରୀ ସହ ପାନ୍ଥଶାଳାରେ ରାତି ବିତାଇବା ଅର୍ଥ ନୁହେଁ ଯେ ଶାରୀରିକ ସମ୍ପର୍କ ସ୍ଥାପନ କରିବା। ଶେଷ ପର୍ଯ୍ୟନ୍ତ ନାୟକ ଶାନ୍ତନୁ ବୁଝି ପାରେନା ନାୟିକା ଆଡ୍ଭୋକେଟ୍ ନୀରାକୁ। ନାରୀ ମାୟା ନାରାୟଣୀଙ୍କୁ ଅଗୋଚର, ଶାନ୍ତନୁବା ବୁଝିବ କେମିତି ! ଶାନ୍ତନୁ ନୁହେଁ କି ମିଷ୍ଟର ରାୟ ଅବା ଅନ୍ୟ କେହିବି କେବେବି ବୁଝି ପାରିବେନି ଗୋଟିଏ ନାରୀକୁ, ପ୍ରତି ମୁହୂର୍ତ୍ତରେ ବଦଳଥିବା ନାରୀ ମନର ମାନସିକତାକୁ। ନାୟିକା କିନ୍ତୁ ବୁଝିଛି ସମ୍ପର୍କର ମୋଡକୁ କେତେବେଳେ କାହା ସହିତ କେମିତି ବଦଳାଇବାକୁ ହୁଏ, କେମିତି ନାୟକର କାନ୍ଧରେ ପାଦ ଥାପି ସ୍ବର୍ଗକୁ ନିଶୁଣି ବାନ୍ଧିବାକୁ ପଡେ। ନାରୀ ମନ, ମନସ୍ତତ୍ତ୍ବ ଓ ମାନସିକତାକୁ ନେଇ ଖୁବ୍ ସୁନ୍ଦର ହୋଇଛି ଗପଟି।

ଆଦିବାସୀ ସମ୍ପ୍ରଦାୟର କଥାଟିକୁ ସିଧା ନକହି ଟିକେ ଅଲଗା ରକମରେ କହିଥିଲେ ବିବାଦଠାରୁ ଦୂରରେ ରହିପାରିଥାନ୍ତା ଗପଟା, କିନ୍ତୁ ସେମିତି କରିବାକୁ ଚାହିଁ ନାହାନ୍ତି ଗାଳ୍ପିକ। ନାରୀ ମନ, ମାନସିକତା, କିଛି ଜଟିଳ ସମ୍ପର୍କ ଓ ବ୍ୟବହାରରେ ଦ୍ବନ୍ଦକୁ ନେଇ ଯେଉଁଠି ଗାଳ୍ପିକ ଝୁଣ୍ଟି ପଡିବେ ବୋଲି ଭାବିଛନ୍ତି ସେଠି ସେ ସହାୟତା ନେଇଛନ୍ତି ମକର ରାଶିର । ଅବଶ୍ୟ ପ୍ରକୃତ ମକର ରାଶିର ଚରିତ୍ର ସହ ଗପର କୈୗଣସି ସମ୍ପର୍କ ନାହିଁ। କିନ୍ତୁ ୧୯୯୭ ମସିହାରେ ପ୍ରକାଶିତ ଏହି ଗଳ୍ପଟିକୁ ପଢିଲେ ଲାଗିବ ଯେମିତି ଗପଟି ଏଇ ନିକଟରେ ଲେଖା ଯାଇଛି ବୋଲି। ଗପଟି ଲେଖକଙ୍କୁ ଆଗରୁ ବଦନାମ୍ କରିଥିଲେବି ପାଠକଙ୍କୁ ଛୁଇଁବ , ବାରମ୍ବାର ଲୁଚାଇ ଦିଆ ଯାଉଥିବା କିଛି ସତ୍ୟକୁ ଗଳ୍ପଟି ଲୋକ ଲୋଚନକୁ ଆଣିବାର ସାହାସ ଦେଖାଇଛି। ଏଣୁ ଗାଳ୍ପିକ ମଳୟ ମିଶ୍ର ପ୍ରକୃତରେ ଧନ୍ୟବାଦର ପାତ୍ର।

 

 

 

 

Leave A Reply

Your email address will not be published.