Latest Odisha News

BREAKING NEWS

ଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ରେଳମନ୍ତ୍ରୀ- କଂଗ୍ରେସ

ଭୁବନେଶ୍ୱର:ଦେଶରେ ଲଗାତାର ଟ୍ରେନ ଦୁର୍ଘଟଣା ଘଟୁଛି । ଏଥିପାଇଁ ନୈତିକ ଦାୟିତ୍ୱ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଂଚାନନ କାନୁନଗୋ ଦେଶରେ ଏବଂ ବିଶେଷ କରି ପୂର୍ବତଟ ରେଳପଥରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଇସ୍ତଫା ଦାବି କରିଥିଲେ।

BjdElectrycity

ସେ କହିଥିଲେ ଯେ, ଓଡ଼ିଶାରୁ ଉଭୟ ବିଜେଡ଼ି ଓ ବିଜେପିର ସମର୍ଥନରେ ମିଳିତ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ କେନ୍ଦ୍ରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ହେଲେ ସେ ଆଜି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛନ୍ତି ।

ପୂର୍ବରୁ ରେଳବିଭାଗ ପାଇଁ ଏକ ସ୍ୱତନ୍ତ୍ର ବଜେଟ ସଂସଦରେ ଉପସ୍ଥାପନ କରାଯାଉଥିଲା । କିନ୍ତୁ ମୋଦି ସରକାରଙ୍କ ସମୟରେ ରେଳ ବେଜଟ ସାଧାରଣ ବଜେଟ ଭିତରେ ମିଶାଇ ଦିଆଯିବା ଫଳରେ ରେଳ ବଜେଟର ଅନେକ ବୈଷୟିକ କାର୍ଯ୍ୟକଳାପ ଓ ଆର୍ଥିକସ୍ଥିତି ବିଷୟରେ ସାଧାରଣ ଜନତାଙ୍କର ଜାଣିବାର ସୁଯୋଗ ନାହିଁ । ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଏକ ନିର୍ଦ୍ଦିଷ୍ଟ ଟ୍ରେନକୁ ଅତ୍ୟଧିକ ବେଗରେ ଚଳାଇବା ପାଇଁ ଯେଉଁ ତୁଚ୍ଛା ପ୍ରତିଯୋଗିତା ଆରମ୍ଭ କରାଯାଇଛି । ସେଥିରେ ସାଧାରଣ ଭାବରେ ଚଳାଚଳ କରୁଥିବା ସୁପରଫାଷ୍ଟ, ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବିପନ୍ନ ହୋଇଛି ବୋଲି ଅଭିଯୋଗ କରିଥିଲେ ବରିଷ୍ଠ ନେତା ଶ୍ରୀ କାନୁନଗୋ ।

ରେଲୱେ ସିଗ୍‌ନାଲ ସିଷ୍ଟମରେ ବ୍ୟାପକ ବୈଷୟିକ ତ୍ରୁଟି ଯୋଗୁଁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଏବଂ ପରବର୍ତ୍ତୀ ଅବସ୍ଥାରେ ଦେଶରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣା ଅତିବ ଦୁଃଖଦାୟକ । ଏଥିରେ ବର୍ତମାନ ସୁଦ୍ଧା ୧୪ରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହିତ ସଂଖ୍ୟାଧିକ ଲୋକ ଗୁରୁତ୍ୱର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏତେ ଦୁର୍ଘଟଣା ଘଟିବା ସତ୍ୱେ ରେଳମନ୍ତ୍ରୀ କିଛି ଶିକ୍ଷାଲାଭ କଲାଭଳି ଲାଗୁନାହିଁ । ତେଣୁ ଓଡ଼ିଶାକୁ ଜାତୀୟସ୍ତରରେ ଅଧିକ ଲଜ୍ଜିତ ହେବାକୁ ନଦେଇ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାପାଇଁ ଶ୍ରୀ କାନୁନଗୋ ଦାବି କରିଥିଲେ ।
ସେହିପରି ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ରେଳ ବିଭାଗର ଦାୟୀତ୍ୱ ହୀନତା ଓ ଉଦାସୀନତାକୁ ନେଇ ପ୍ରଶ୍ନ କରିବା ସହିତ ରେଳମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ସଂଯୋଜକ ଦୀପକ କୁମାର ମହପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.