Latest Odisha News

BREAKING NEWS

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ

ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଦାବି ଜୋର ଧରିଲା । ଚାରିଦ୍ୱାର ଖୋଲିବାକୁ ପୁରୀରେ ପ୍ରତିବାଦ କଲା କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ପୁରୀରେ ଏକାଠି ହୋଇଛନ୍ତି । କାର୍ତ୍ତିକ ପୂର୍ବରୁ ୪ ଦ୍ୱାର ଖୋଲିବାକୁ ଅଡି ବସିଛି କଂଗ୍ରେସ । ଖାଲି ୪ ଦ୍ୱାର ଖୋଲିବା ପାଇଁ ନୁହେଁ, ରତ୍ନଭଣ୍ଡାର ଖୋଲି ଗଣତି କରିବା ତଥା ଏହାର ମରାମତି ପାଇଁ ମଧ୍ୟ ଦାବି କରିଛନ୍ତି ।

ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଶରଧାବାଲିରେ କଂଗ୍ରେସ ପକ୍ଷରୁ ବିଶାଳ ରାଲିର ଆୟୋଜନ ହୋଇଥିଲା ।  ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା,  ପୁରୀ ଜିଲ୍ଲା ଚାଷୀଙ୍କୁ ବେଦାନ୍ତ ଅଧିକୃତ ଜମି ଫେରସ୍ତ ଆଦି ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ । ଏହି ଅବସରରେ ଗୁଣ୍ଡିଚା ମନ୍ଦିରଠୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଜନସମାବେଶର ଆୟୋଜନ ହୋଇଛି। ମରିଚିକୋଟ ଛକରେ ପୋଲିସ ବ୍ୟାରିକେଡ଼ କରି ଅଟକାଇବାରୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ ନେତା ଓ କର୍ମୀ।ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଧସେଇ ପଶି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦେଇଛନ୍ତି ।

କଂଗ୍ରେସ ପକ୍ଷରୁ କୁହାଯାଇଛି,   କାର୍ତ୍ତିକ ମାସ ଆସୁଥିବାରୁ ପୁରୀରେ ହବିଶ୍ୟାଳୀ ସହ ଭକ୍ତଙ୍କ ଅସମ୍ଭବ ଭିଡ ହେବ।ଏହା ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ କଂଗ୍ରେସ ଦଳ ଦାବିକରିଛି। ପ୍ରବଳ ଭିଡ ଯୋଗୁଁ ଦିବ୍ୟାଙ୍ଗ ,ମହିଳା, ବୃଦ୍ଧବୃଦ୍ଧା ନାହିଁ ନଥିବା ହଇରାଣ ଭୋଗ କରୁଛନ୍ତି । ଯାତ୍ରୀ ପରିକ୍ରମା ମାର୍ଗ ସରିବା ପୂର୍ବରୁ ଏହି ଚାରି ଦ୍ଵାର ଖୋଲାଯାଇ ବ୍ୟବସ୍ଥା କରାଯାଉ ।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ,ବିଧାୟକ ସୁରେଶ ରାଉତରାୟ ,ତାରାପ୍ରସାଦ ବାହିନୀପତି,ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ,ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ,ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟପକ୍ଷେ ବିଜେପି ମଧ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଦାବି କରିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।  ଦୀର୍ଘ ୪୫ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇନି । ତେଣୁ ଏହାକୁ ଖୋଲି ସାଧାରଣ ଜନତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରନ୍ତୁ ସରକାର । ଯଦି ତୁରନ୍ତ ରତ୍ନ ଭଣ୍ଡାର ଖୋଲା ନ ଯାଏ ସେ ଏ  ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଭେଟିବେ ବୋଲି କହିଛନ୍ତି ।

ଶ୍ରୀ ମହାନ୍ତି, ପ୍ରଶ୍ନ କରିଛନ୍ତି, ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏ କାହିଁକି କମିଟି ଗଠନ ହୋଇନି ?  ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି ।

 

Leave A Reply

Your email address will not be published.