Latest Odisha News

BREAKING NEWS

ତେଲେଙ୍ଗାନାରେ ରାହୁଲ ପ୍ରିୟଙ୍କାଙ୍କ ଯାତ୍ରା ପୂର୍ବରୁ କଂଗ୍ରେସ ବସ ପଙ୍କଚର!

ଭୁବନେଶ୍ୱର: ତେଲେଙ୍ଗାନାର ୫୫ ଟି ସିଟ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଅସନ୍ତୋଷ ଓ ବିଦ୍ରୋହ ପଦାକୁ ଆସିଛି। ରାଜ୍ୟର ୧୧୯ ସିଟ ମଧ୍ୟରୁ ଦଳ ପ୍ରଥମ ପର୍ଯ୍ୟାୟରେ ୫୫ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି।

ସେଥିମଧ୍ୟରୁ ବହୁ ସିଟରେ ଆଶାୟୀ ମାନେ ଟିକେଟ ନ ପାଇ ରାସ୍ତାକୁ ଓଲ୍ହାଇ ବିରୋଧ କରିଥିବା ବେଳେ କିଛି ଆଶାୟୀ କାନ୍ଦୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଉ କିଛି ଆଶାୟୀଙ୍କ ସମର୍ଥକମାନେ ହାଇଦ୍ରାବାଦରେ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇବ ଉଦ୍ୟମ କରିଥିବା ସୂଚନା ମିଳିଛି। ଯାହାକୁ ନେଇ ତେଲେଙ୍ଗାନାରେ କଂଗ୍ରେସ ରାଜନୀତି ସରଗରମ ହୋଇଛି।

ଆସନ୍ତା ୧୮ ତାରିଖରେ ତେଲେଙ୍ଗାନାରେ କଂଗ୍ରେସର ବସ ଯାତ୍ରା ହେବ। ଯାହାକୁ ନେଇ ଦଳ ବଡ଼ ସଫଳତାର ଆଶା ରଖିଛି। ଯେଉଁ ଯାତ୍ରାରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେବେ।

ତେଣୁ ଏଭଳି ଏକ ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଦଳରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଉପ୍ପଲ ବିଧାନସଭା କ୍ଷେତ୍ରରେ ରାଗିଡି ଲକ୍ଷ୍ମା ରେଡ୍ଡୀ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।

ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଏମ ପରମେଶ୍ୱର ରେଡ୍ଡୀ ସେଠାରୁ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ପାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାନ୍ଦି କାନ୍ଦି ସେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି।

ଦଳକୁ ସେ ସମୃଦ୍ଧ କରିଥିବା ବେଳେ ଏବେ ଜଣେ ବାହାର ନେତାଙ୍କ ପାଇଁ ତାଙ୍କୁ ଟିକେଟ ନ ମିଳିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ସମର୍ଥକଙ୍କ ଗହଣରେ ସେ ଲୁହ ଛଳଛଳ ଆଖିରେ ଏଭଲି କହୁଥିବା ଦେଖିବାକୁ ମିଳିଛି।

ସେହିପରି ଉପ୍ପଲର ଆଉଜଣେ ଆଶାୟୀ ସିଙ୍ଗିରେଡ୍ଡୀ ସୋମାଶେଖର ରେଡ୍ଡୀ କହିଛନ୍ତି କି ସେ ସାରା ରାଜ୍ୟରେ ପିସିସି ସଭାପତି ରେଭନ୍ତ ରେଡ୍ଡିଙ୍କୁ ହଟାଇବା ଅଭିଯାନ ଚଲାଇବେ। ସେହିପରି ମେଡଚାଲରେ ଅନ୍ୟ ଆଶାୟୀଙ୍କ ସମର୍ଥକମାନଙ୍କର ଦଳୀୟ ପ୍ରାର୍ଥୀ ଥୋଟାକୁରା ଭାଜରେଶ ଯାଦବ ଗୋଷ୍ଠୀ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ଦଳର ବରିଷ୍ଠ ନେତା ପୋନ୍ନାଲା ଲକ୍ଷ୍ମାୟା ମଧ୍ୟ ଦଳ ବିରୋଧରେ ଅସନ୍ତୋଷ ଝାଡ଼ିବା ସହ ବିଆରଏସ ସହ ହାତ ମିଳାଇଥିବା କୁହାଯାଉଛି। ଦଳର ପ୍ରଥମ ପ୍ରାର୍ଥୀ ତାଲିକାରେ ୫୫ ଜଣଙ୍କ ମଧ୍ୟରୁ ୧୭ ଜଣ ରେଡ୍ଡୀ, ୧୨ ଜଣ ପଛୁଆ ବର୍ଗ, ୧୨ ଏସସି, ୭ ଜଣ ଭେଲମା, ୨ ଜଣ ଏସଟି, ୨ ଜଣ ବ୍ରାହ୍ମଣ ଓ ୩ ଜଣ ଅଳ୍ପ ସଂଖ୍ୟକ ବର୍ଗଙ୍କୁ ଟିକେଟ ଦିଆଯାଇଛି।

କିନ୍ତୁ କଂଗ୍ରେସ ଆଶାୟୀଙ୍କ କ୍ରୋଧର କାରଣ ସାଜିଛନ୍ତି ଦଳରେ ନୂତନ ଭାବେ ଯୋଗ ଦେଇଥିବା ୧୨ ଜଣ ନେତା। ଜୁପାଲି କ୍ରୀଷ୍ଣା ରାଓ, ମୀନାପାଲି ହନୁମନଥ ରାଓ ଓ ତାଙ୍କ ପୁଅ ରୋହିତ ରାଓ ପ୍ରମୁଖ ବିଆରଏସ ଛାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଦଳ ସେମାନଙ୍କୁ ପ୍ରାର୍ଥୀ କରିଛି ଦଳ। ଏପରିକି ପରିବାରରୁ ଜଣଙ୍କୁ ଟିକେଟ ଦିଆଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ଟିକେଟ ବଣ୍ଟନ କରାଯାଇଥିବାରୁ ଏହାକୁ ବିରୋଧ କରାଯାଇଛି ।

ତେଣୁ ଏସବୁକୁ ନେଇ ତେଲେଙ୍ଗାନା କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ତୀଵ୍ର ହୋଇଛି। ସେପଟେ ରାଜ୍ୟରେ ବିଜେପି ମଧ୍ୟ ଏକ ଶକ୍ତି ଭାବେ ଲଢେଇ ଦେବାକୁ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଗତ ଜୁଲାଇ ମାସରେ ଦଳର ସଭାପତି ପରିବର୍ତ୍ତନ କରିଥିବାରୁ ଦଳରେ ମତଭେଦ ବ୍ୟାପକ ହୋଇଥିବା କୁହାଯାଉଛି।

ସେପଟେ ଶାସକ ବିଆରଏସ କ୍ଷମତାକୁ ଆସିଲେ ପୁଅ କେଟିଆରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ କେସିଆର ଜାତୀୟ ରାଜନୀତିରେ ସମୟ ଦେବେ ବୋଲି ହେଉଥିବା ରାଜନୈତିକ ଚର୍ଚ୍ଚାକୁ ନେଇ ଦଳ ଅଡୁଆରେ ପଡିଥିବା କୁହାଯାଉଛି।

ଆଗାମୀ ନିର୍ବାଚନରେ କଂଗ୍ରେସ ବଡ଼ ବିଜୟ ହାସଲ କରି ତେଲେଙ୍ଗାନାରେ ଶାସନକୁ ଆସିବାକୁ ଲକ୍ଷ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ଆଗକୁ ଏହି ଦଳୀୟ ଅସନ୍ତୋଷ କିଭଳି ରୁପ ନେଉଛି ଓ ଦଳ ଏହାକୁ କିଭଳି ମ୍ୟାନେଜ କରୁଛି ତା ଉପରେ ନଜର।

Leave A Reply

Your email address will not be published.