Latest Odisha News

BREAKING NEWS

ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କଲାନାହିଁ କଂଗ୍ରେସ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ଶନିବାର ଦିନ ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ୫୪୩ଟି ଲୋକସଭା ଆସନରୁ ଏନଡ଼ିଏ ୩୫୦ଟି ଆସନରେ ବିଜୟ ହାସଲ କରି ସରକାର ଗଠନ କରିବାକୁ ଯାଉଛି । ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ କଂଗ୍ରେସ ଦଳ ତାଙ୍କର ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଦେଇଛି ।

କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସମୟରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହୋଇ ଏହି ଇସ୍ତଫାକୁ କଂଗ୍ରେସ ଗ୍ରହଣ କରିନଥିଲା । ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟକୁ ନେଇ ଆତ୍ମସମୀକ୍ଷା ଚାଲିଥିଲା ଏହି କାର୍ଯ୍ୟକାରିଣୀ ବୈଠକରେ । ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମଲ୍ଲିକାର୍ଜୁନ ଖାର୍ଗେ, ଗୁଲାମନବୀ ଆଜାଦଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ ଶାସିତ ରାଜ୍ୟ ଯଥା ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଆମନ୍ତ୍ରୀତ କରାଯାଇଥିଲା ।

ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ ୨୦୧୪ ନିର୍ବାଚନରେ ସବୁଠାରୁ କମ୍ ସଂଖ୍ୟକ ଅର୍ଥାତ୍ ମାତ୍ର ୪୪ଟି ଆସନ ଜିତିବାକୁ ସକ୍ଷମ ହୋଇପାରିଥିଲା, ମାତ୍ର ୨୦୧୯ ନିର୍ବାଚନରେ କଂଗ୍ରେସ ଆଉ ୮ଟି ଅଧିକ ଆସନ ଜିତିଥିଲେ ମଧ୍ୟ ଦେଶବ୍ୟାପୀ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିଲା । ଦଳର ଅଧ୍ୟକ୍ଷ ରାହୁଲ ନିଜେ ସାରା ଦେଶରେ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି ।

Leave A Reply

Your email address will not be published.