Latest Odisha News

BREAKING NEWS

ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି: କଂଗ୍ରେସ

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ ହୋଇଛନ୍ତି । କୋରାପୁଟ ଜିଲ୍ଳାର କୋଟିଆ ପଂଚାୟତରେ ଆନ୍ଧ୍ର ସରକାର ଯେଭଳି ଭାବରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଓଡ଼ିଶାର ସରକାରଙ୍କ ପକ୍ଷରୁ ଯେପରି ନୀରବତା ଅବଲମ୍ବନ କରାଯାଉଛି ଏଥିରୁ ଅନୁମେୟ ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି । ଏନଇ ଆଜି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

କୋଟିଆକୁ ଓଡ଼ିଶାରେ ରଖିବାପାଇଁ ଓଡ଼ିଶା ସରକାରଙ୍କର ଆନ୍ତରିକତାର ଅଭାବ ରହିଛି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । କୋଟିଆ ପଂଚାୟତର ୨୧ଟି ଗ୍ରାମରେ ଆନ୍ଧ୍ର ସରକାର ସାଧାରଣ ଜନତାଙ୍କୁ ପ୍ରଲୋଭିତ କରୁଛନ୍ତି । ଧୂଳିପଦର ଓ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ସରକାରୀ ଦଳର ଦଳୀୟ ପତାକା ଆନ୍ଧ୍ର ସରକାରୀ କର୍ମଚାରୀମାନେ ଉତ୍ତୋଳନ କରୁଛନ୍ତି ।

ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସେଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ସ୍ୱାସ୍ଥ୍ୟ ସେବା ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ଆନ୍ଧ୍ର ସରକାର ‘ଜଗନ୍ନା ଭରସା’ କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆ ଅଂଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପଂହଚୁଛନ୍ତି । କେବଳ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ଓଡ଼ିଶା ସରକାର ହଷ୍ଟେଲ ସୁବିଧା କରିଥିବା ବେଳେ ଆନ୍ଧ୍ର ସରକାର କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ରରେ କୋଟିଆର ସମସ୍ତବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ସରକାରୀ ହଷ୍ଟେଲ ସୁବିଧା ଯୋଗାଇ ଦେଉଛନ୍ତି ।

ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି ଓ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରାୟ ଦିଆଯାଉ ନାହିଁ । ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତି ନିମ୍ନମାନର । ମାତ୍ର ସେଠି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଫିସର ମାନେ ଜଗିବସି ଉନ୍ନତ ଖାଦ୍ୟ ଓ ସେଥିରେ ଅଣ୍ଡା ଓ କ୍ଷୀର ଦେଉଛନ୍ତି ।

ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ ଅଫିସରମାନେ ବାର୍ଦ୍ଧକ୍ୟଭତା ହିତାଧିକାରୀଙ୍କ ଘରକୁ ଯାଇ ହାତରେ ୨୫୦୦ ଟଙ୍କା ଧରେଇ ଦେଉଥିବା ବେଳେ ଓଡ଼ିଶା ସରକାର ମାତ୍ର ୫୦୦ ଟଙ୍କା (ଏବେ ହଜାର ଟଙ୍କା) ବ୍ୟାଙ୍କ ବା ପୋଷ୍ଟାଲ ମାଧ୍ୟମରେ ଦେଉଛନ୍ତି । ହିତାଧିକାରୀ ଅନେକ ସମୟରେ ଭତ୍ତା ଅର୍ଥ ନେବାପାଇଁ ୨୦-୨୫ କିଲୋମିଟର ଚାଲି ଚାଲି ଆସି ହତାସ ହେଉଛି ।

କୋଣ୍ଡାଦ୍ୱାର, ମାଳି, ରଣା, କୁମ୍ଭାର, କମାର ଓ ପାଇକ ପ୍ରଭୃତି କେତେକ ବର୍ଗଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ମାନ୍ୟତା ମିଳୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସରକାର ସେମାନଙ୍କର ଦାବିକୁ ଉପେକ୍ଷା କରୁଛନ୍ତି । ଆନ୍ଧ୍ର ପକ୍ଷରୁ କୋଟିଆକୁ ଦୁଇଟି ପଂଚାୟତରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ‘ଗୁଣସିନେରି ଓ ଅନ୍ୟଟି ତଳଗଞ୍ଜେଇପଦର । ଆନ୍ଧ୍ରପକ୍ଷରୁ ଏହାକୁ ବିଗୁଆ ଗଞ୍ଜେଇ ଭଦ୍ରା ଏବଂ ଫଗୁ ଚିନାରୀ କୁହାଯାଉଛି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଥାଇ ହୋଡିଂ ଲାଗିଛି ।

ଶ୍ରୀ ବାହିନୀପତି କହିଛନ୍ତିଯେ ପଟାଙ୍ଗୀ ବ୍ଲକ ଅଧିନସ୍ଥ ଗାଲିଗପ୍ତର ଠାରେ ଥିବା ଜଳପ୍ରପାତରୁ ପ୍ରବାହିତ ହୋଇଥିବା ଜଳକୁ ଅଟକାଇ କୋଟିଆ ପଂଚାୟତର ଉପତ୍ୟକାରେ ଏକ ଚେକଡ୍ୟାମ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ଏହି ଜଳକୁ ବ୍ୟବହାର କରି ନେରେଡ଼ି ବାଲସା ଏବଂ ତାଡ଼ିବାଲସା ଠାରେ ଏକ ହ୍ରାଇଡ୍ରୋ ପ୍ରୋଜେକ୍ଟ ନିର୍ମାଣ କରିବାପାଇଁ ସର୍ଭେ ଏବଂ ସଏଲଟେଷ୍ଟ କାମ ସମାପ୍ତ ହୋଇଛି ।

ଏହା ଦ୍ୱାରା କୋଟିଆ ଉପତ୍ୟକାରେ ଥିବା ୧୨ ଖଣ୍ଡ ଗାଁ ଜଳମଗ୍ନ ହୋଇଯିବ । ଏହି ହାଇଡ୍ରୋ ପ୍ଳାଂଟ ବାବଦରେ ଜୁଲାଇ ୧୯ ତାରିଖ ୨୦୨୩ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତତ୍ୱାବଧାନରେ ଆଦାନୀଗ୍ରୁପ, ଓଡ଼ିଶା ସରକାରଙ୍କର ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆନ୍ଧ୍ର ସରକାରଙ୍କ ଅଫିସର ଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶା ସରକାର କୌଣସି ପ୍ରତିବାଦ ନକରିବା ଦୁର୍ଭାଗ୍ୟଜନକ ।

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋରାପୁଟର ନନ୍ଦପୁର ବ୍ଲକର ଚାଟୁଆ ଅଂଚଳରେ ରାସ୍ତାକାମ, ପାନୀୟଜଳ ବ୍ୟବସ୍ଥା ଓ ବ୍ରୀଜ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନାରାୟଣ ପାଟଣା ବ୍ଲକର ବରଗୀ, ଲଙ୍ଗଳବେଢ଼ା ପ୍ରଭୃତି ତିନିଚାରିଟି ପଂଚାୟତରେ ଓ ବନ୍ଧୁ ଗାଁ ବ୍ଲକର ତିନୋଟି ପଂଚାୟତରେ ଆନ୍ଧ୍ର ସରକାର ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ଏକଥା ଓଡ଼ିଶା ସରକାର ଜାଣି ନୀରବ ରହିବା ଦୁର୍ଭାଗ୍ୟଜନକ । ଜଣେ ସାଧାରଣ ଓଡ଼ିଆ ଏହାକୁ ସହ୍ୟ କରିପାରିବ ନାହିଁ । କୋରାପୁଟର ଛାତିରେ ଆନ୍ଧ୍ରର କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ସତେଯେପରି ସମର୍ଥନ ଦେଉଛନ୍ତି ତାହା ଆମ ପାଇଁ କଷ୍ଟ ଦାୟକ । ଏପରି ହେଲେ ସେଠିକାର ବାସିନ୍ଦା ଆନ୍ଧ୍ର ଅଧିନରେ ରହିବାକୁ ପସନ୍ଦ କରିବେ । ଏକଥା କ’ଣ ମୁଖ୍ୟ ମନ୍ତ୍ରୀ ଜାଣି ପାରୁ ନାହାନ୍ତି?

ପଂଚାୟତ ନିର୍ବାଚନ ଆନ୍ଧ୍ର ପକ୍ଷରୁ କରାଗଲା । ଓଡ଼ିଶା ସରକାର ଏହାକୁ ଠିକ୍ ଭାବରେ ପ୍ରତିବାଦ କରିପାରିଲେ ନାହିଁ ।

ଓପିସିସି ମିଡିଆ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ କୋଟିଆ ଅଂଚଳ ପ୍ରତି ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଉଦାସୀନ ରହିଛନ୍ତି । ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପ୍ରତି ମୁଖ୍ୟମନ୍ତ୍ରୀ ଆଦୌ ସମ୍ବେଦନଶୀଳ ନୁହନ୍ତି । କୋଟିଆ ଅଂଚଳ ପ୍ରତି ଏଭଳି ଉଦାସିନତା ଭାବ ରହିଲେ, ସଂପୃକ୍ତ ଅଂଚଳବାସୀଙ୍କ ନ୍ୟାୟ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।

Leave A Reply

Your email address will not be published.