Latest Odisha News

BREAKING NEWS

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି।

ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ ଭିନ୍ନ ଢଙ୍ଗରେ ଏହାର ଜବାଵ ରଖିଛି।

କଂଗ୍ରେସର ବହୁ ନେତା ଏ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଜିତୁ ପଟୱାରୀ ହିସାବ ମାଧ୍ୟମରେ ଏହାର ଜବାଵ ଦେଇଛନ୍ତି।

ଇଣ୍ଡିଆ ମେଣ୍ଟରେ ମୋଟ ୨୬ ଟି ଦଳ ରହିଥିବା ବେଳେ ଲୋକସଭାରେ ମେଣ୍ଟର ୧୪୩ ଜଣ ସାଂସଦ ରହିଛନ୍ତି। ରାଜ୍ୟସଭାରେ ୯୮ ଜଣ ସାଂସଦ ରହିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୯୩୪ ଜଣ ବିଧାୟକ, ୧୨୦ ଜଣ ଏମଏଲସି ରହିଥିବା ପଟୱାରୀ କହିଛନ୍ତି।

ଦେଶର ୧୧ ଟି ରାଜ୍ୟରେ ଇଣ୍ଡିଆ ମେଣ୍ଟର ସରକାର ଥିବାବେଳେ ଲୋକସଭାରେ ବିରୋଧୀ ମେଣ୍ଟର ଭୋଟ ପ୍ରତିଶତ ୪୫.୫ ପ୍ରତିଶତ। ତେଣୁ ଇଣ୍ଡିଆକୁ ପସନ୍ଦ କରୁଥିବା ଏହି ଜନସମୁହ କଣ ଗଦାର କି ଦେଶଦ୍ରୋହୀ କି କିମ୍ବା ଆତଙ୍କବାଦୀ କି ବୋଲି ପ୍ରଶ୍ନ କରିଛନ୍ତି ପଟୱାରୀ।

ସେପଟେ ଇଣ୍ଡିଆ ସହ ଏନଡିଏର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ସେ ଦେଇଛନ୍ତି। ଏନଡିଏରେ ୩୮ ଟି ଦଳ ଥିବାବେଳେ ଲୋକସଭାରେ ୩୨୨ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟସଭାରେ ୧୧୧ ଜଣ ସଦସ୍ୟ ଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୭୪୫ ଜଣ ବିଧାୟକ ରହିଛନ୍ତି।

୧୬ ଟି ରାଜ୍ୟରେ ଏନଡିଏର ସରକାର ଥିବା ପଟୱାରୀ କହିଥିବା ବେଳେ ଲୋକସଭାରେ ଭୋଟ ପ୍ରତିଶତ ୩୦ ରହିଛି। ଏପରିକି ୩୮ ଟି ଦଳ ମଧ୍ୟରୁ ଏମିତି ଅନେକ ଦଳ ଅଛି ଯେଉଁ ମାନଙ୍କର କିଛି ରାଜନୈତିକ ସ୍ଥିତି ନ ଥିବା ସେ କହିଛନ୍ତି।

ସେମାନେ ବହୁ ରାଜ୍ୟରେ ଲୋକତନ୍ତ୍ର ଓ ସମ୍ବିଧାନର ଅପମାନ କରିବା ସହ ବିଧାୟକ ମାନଙ୍କୁ କିଣାବିକା କରି ସରକାର ଗଢିଥିବା ଜିତୁ ପଟୱାରୀ ଅଭିଯୋଗ କରିଛନ୍ତି। ଏହାକୁ କଣ ରାଷ୍ଟ୍ରଭକ୍ତି କୁହାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ପଟୱାରୀ।

ଏପରିକି ଏଭଳି ରାଜନୈତିକ ଅରାଜକତାକୁ ଯିଏ ବିରୋଧ କରୁଛନ୍ତି ତାଙ୍କୁ ଗଣତନ୍ତ୍ରର ମନ୍ଦିରରୁ ଦୁରେଇ ଦିଆଯାଉଛି ଯେମିତି ରାହୁଲ ଗାନ୍ଧୀଙ୍କୁ ଦୁରେଇ ରଖାଯାଇଛି ବୋଲି ସେ କହିଛନ୍ତି।

ଏଥିସହିତ କଂଗ୍ରେସର ଏହି ହେଭିୱେଟ ନେତା ବିଜେପିର ଖେଳକୁ ବୁଝିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଇଣ୍ଡିଆ ସମସ୍ତଙ୍କର ଓ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ସେ ଆହ୍ୱାନ ଦେଇଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକି ଥିବାବେଳେ ଜିତୁ ପଟୱାରୀଙ୍କ ଜାତୀୟ ରାଜନୀତିକୁ ନେଇ ଏଭଳି ଟ୍ଵିଟ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସେପଟେ କଂଗ୍ରେସ ସମେତ ଇଣ୍ଡିଆର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଇଣ୍ଡିଆ ପ୍ରତି ବିଜେପିର ଆଭିମୁଖ୍ୟକୁ ନେଇ କଡା ସମାଲୋଚନା କରିଛନ୍ତି।

Leave A Reply

Your email address will not be published.