Latest Odisha News

ସାରା ରାତି ଶୋଇ ପାରିନି..ବିଧୁରୀଙ୍କ ଅଶାଳୀନ ମନ୍ତବ୍ୟକୁ ମନେ ପକାଇ କାନ୍ଦି ପକାଇଲେ ଦାନିଶ

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ୨୧ ତାରିଖ ଚନ୍ଦ୍ରଯାନ-୩ ଉପରେ ଚର୍ଚ୍ଚା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ୟୁପିର ବିଏସପି ସାଂସଦ କୁଅଁର ଦାନିଶ ଅଲିଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । କୁହାଯାଉଛି, ବିଜେପି ସାଂସଦ ବିଏସପି ସାଂସଦ ଦାନିଶ ଅଲିଙ୍କୁ ଆପତ୍ତଜନକ ଶବ୍ଦ କହି ସମ୍ବୋଧନ କରିଥିଲେ । ଅବଶ୍ୟ ଗୃହର କାର୍ଯ୍ୟରୁ ବିଧୁରୀଙ୍କ ଅପଶବ୍ଦକୁ ହଟାଇ ଦିଆ ଯାଇଛି । ତେବେ ବିଧୁରୀଙ୍କ ଏପରି ଦୁର୍ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପଟେ ବିଏସପି ସାଂସଦ ଦାନିଶ ଅଲି କହିଛନ୍ତି, ଯଦି ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଉଦାସ ମନରେ ସେ ସଂସଦ ଛାଡିବା ଉପରେ ବିଚାର କରିବେ ।
ଏହି ଅବସରରେ ଭାବୁକ ହୋଇ ଯାଇଥିଲେ ଦାନିଶ ଅଲି । ସେ କହିଛନ୍ତି, ‘ଯଦି ମୋ ସହ ଏମିତି ହେଉଛି ତେବେ ସାଧାରଣ ଲୋକଙ୍କ ସହ କ’ଣ ହେଉଥିବ ? ନିଜ ପ୍ରତିକ୍ରିୟା ରଖିବା ସମୟରେ କାନ୍ଦି ପକାଉଥିଲେ ଦାନିଶ । ସେ କହିଛନ୍ତି, ‘ମୁଁ ପୁରା ରାତି ଶୋଇ ପାରି ନ ଥିଲି । କାରଣ ମୋତେ ଲାଗୁଥିଲା ଯେମିତି ମୋ ମୁଣ୍ଡ ଫାଟି ଯିବ ।’
ସେ ଆହୁରି କହିଛନ୍ତି, ସଂସଦର ଏହି ବିଶେଷ ଅଧିବେଶନ ଡାକି ନିର୍ବାଚିତ ସାଂସଦଙ୍କୁ ସେମାନଙ୍କ ସଂପ୍ରଦାୟ ସହ ଯୋଡି ତାଙ୍କ ଉପରେ ଆକ୍ରମଣ କରିବାକୁ ଡକାଯାଇଥିଲା ? ଏପରି ଘଟଣା ପୁରା ଦେଶ ପାଇଁ ଲଜ୍ଜାଜନକ । ଆମେ ଦେଖିବୁ ତାଙ୍କ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ନା ତାଙ୍କୁ ପ୍ରୋତ୍ସାହିତ କରୁଛି । ଏହା ଘୃଣା ସୃଷ୍ଟି କରୁଥିବା ଭାଷଣ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.