କଟକ: ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ପୁଲିସ କନଷ୍ଟେବଳ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କଟକ ବକ୍ସିବଜାର ପୋଲିସ ଲାଇନ୍ ଭିତରେ । ଏନେଇ ମହିଳା ସଫେଇ କର୍ମଚାରୀ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବାପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଗିରଫ କନଷ୍ଟେବଳ ହେଉଛି କଟକ ଗ୍ରାମାଞ୍ଚଳ ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟରେ କାମ କରୁଥିବା ବଡ଼ମ୍ବାର ପରେଶ ସାମଲ (୪୯) । ଗିରଫ ପରେ କନଷ୍ଟେବଳ ପରେଶକୁ କଟକ ଗ୍ରାମାଞ୍ଚଳ ଏସପି ଚାକିରିରୁ ତୁରନ୍ତ ନିଲମ୍ବନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳୁ ଅଭିଯୋଗକାରୀଣି ମହିଳା ଜଣକ ରାଜ୍ୟ ପୋଲିସ ମୁଖ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂର ୱାର୍ଡ ନମ୍ବର-୧୫ରେ ଝାଡୁ ମାରୁଥିଲେ । ଏହି ସମୟରେ ପରେଶ ରିଜର୍ଭ କାର୍ଯ୍ୟାଳୟ କ୍ୟାମ୍ପସ୍ରୁ ବାହାରିଆସି ସଫେଇ କର୍ମଚାରୀଙ୍କୁ ପଛରୁ ମାଡି ବସିଥିଲେ । ଏହି ସମୟରେ ମହିଳା ଜଣକ ଜୋରେ ପାଟି କରିଥିଲେ ହେଲେ ପରେଶ ତାଙ୍କୁ ନଛାଡି ତାଙ୍କ ସହ ଖରାପ ବ୍ୟବହାର କରି ଚାଲିଥିଲେ ।
ଏହାପରେ ସଫେଇ କର୍ମଚାରୀ ପାଖରେ ଥିବା ପୋଲିସ ମୁଖ୍ୟାଳୟ ଅଭିମୁଖେ ଦୌଡ଼ିଥିଲେ । ପୀଡ଼ିତା ନିଜ ସହିତ ଘଟିଥିବା କଥା କହିବାରୁ ତୁରନ୍ତ କ୍ୟାଣ୍ଟନମେଣ୍ଟ ଥାନାକୁ ସୂଚନା ଦିଆଗଲା । ମାତ୍ର ଥାନା କର୍ମଚାରୀ ପହଞ୍ଚିଲା ବେଳକୁ ଅଭିଯୁକ୍ତ ପରେଶ ସେଠାରୁ କେଉଁଆଡ଼େ ପଳାଇଥିଲା । ଏହାପରେ ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା । ଗୁରୁବାର ସକାଳେ ଅଭିଯୁକ୍ତ ପରେଶକୁ ତାଙ୍କ ଦେଉଳସାହି ସ୍ଥିତ ଭଡ଼ା ଘରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।