Latest Odisha News

BREAKING NEWS

ସଂସଦରେ ଗୃହିତ ହେଲା ଆରଟିଆଇ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ନିକଟରେ ଲୋକସଭାରେ ଗୃହୀତ ହେବା ପରେ ସୂଚନା ଅଧିକାର ଆଇନ(ଆରଟିଆଇ) ସଂଶୋଧନ ବିଲ, ୨୦୧୯ ଆଜି
ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ଆରଟିଆଇ ଆଇନର ସ୍ୱାଧୀନତା ଉପରେ ଉପରେ ଅଙ୍କୁଶ ଲଗାଇବାର କୌଣସି ଉଦ୍ଦେଶ୍ୟ ସରକାରଙ୍କର ନାହିଁ । ଆଇନର ସ୍ୱାଧୀନତାରେ କୌଣସି ପ୍ରକାରର ହସ୍ତକ୍ଷେପ କରିବାର
ଉଦ୍ଦେଶ୍ୟ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।

ସୂଚନା ଆୟୁକ୍ତଙ୍କ କାର୍ଯ୍ୟକାଳ ଧାର୍ଯ୍ୟ କରିବା ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ କରୁଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଥିଲେ ଯେ ଦୁଇ ବର୍ଷରେ ଥରେ ସୂଚନା ଆୟୁକ୍ତଙ୍କୁ ସରକାର ପରିବର୍ତନ କରିବେ ବୋଲି କୌଣସି ବ୍ୟବସ୍ଥା ସଂଶୋଧନରେ ହୋଇନାହିଁ । ନିୟମର ସଂଶୋଧନ
ଦ୍ୱାରା ସରକାର କୌଣସି ପ୍ରକାରର ଅଖଣ୍ଡ କ୍ଷମତା ପାଇବେ ନାହିଁ ବୋଲି ସେ ଜୋର ଦେଇ କହିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସରକାର ସମସ୍ତ ପ୍ରକାରର ପରାମର୍ଶକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ଥିଲେ ଏବଂ ସତ୍ ଉଦ୍ଦେଶ୍ୟ ନେଇ ଏହି ସଂଶୋଧନ କରାଯାଇଛି ।

ଏହି ବିଲକୁ ସଂସଦର ଚୟନ କମିଟି ନିକଟକୁ ପଠାଇବା ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ ଯେ ଏହା ସଦସ୍ୟମାନଙ୍କର ବିଶେଷାଧିକାର ଏବଂ ବିଲର ଗୁରୁତ୍ୱ ଆଧାରରେ ଏହାକୁ ବିଚାର କରାଯିବାର ଆବଶ୍ୟକତା ରହିଛି । ମନ୍ତ୍ରୀ କହିଥିଲେ ଯେ ସରକାର ସବୁବେଳେ “ସର୍ବାଧିକ ପ୍ରଶାସନ ଏବଂ ସର୍ବନିମ୍ନ ସରକାର” ନୀତି ଉପରେ ଗୁରୁତ୍ୱାରୋପ କରିଆସିଛନ୍ତି । ଏଥିପାଇଁ ସରକାର ବ୍ୟକ୍ତିଗତ ସତ୍ୟପାଠ (ସେଲ୍ଫ ଆଟେଷ୍ଟେସନ) ଏବଂ ସାକ୍ଷାତକାର ଉଚ୍ଛେଦ ଭଳି ପଦକ୍ଷେପ ନେଇଛନ୍ତି । ଏସବୁ କାର୍ଯ୍ୟକ୍ରମ ପଛରେ ସରକାରଙ୍କ ପ୍ରତିବଦ୍ଧତା ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ରହିଛି । ମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ‘ମୋବାଇଲ ଆପ’ର ପ୍ରଚଳନ କରିଛନ୍ତି ଯାହା ମାଧ୍ୟମରେ ନାଗରିକମାନେ ଯେକୌଣସି ସମୟରେ ଆରଟିଆଇ ଦାଖଲ କରିପାରିବେ । ବିଗତ ୫ ବର୍ଷରେ ଅଧିକାଂଶ ସୂଚନା ସର୍ବସାଧାରଣରେ ପ୍ରକାଶ କରାଯାଇସାରିଛି ।

ଏହି ସଂଶୋଧନ ଅଣାଯିବାର ଉଦ୍ଦେଶ୍ୟ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ମୁଖ୍ୟ ସୂଚନା ଆୟୁକ୍ତ (ସିଆଇସି) ହେଉଛି ଏକ ବୈଧାନିକ ପଦବୀ ଏବଂ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ପଦବୀ । ତେଣୁ ଭାରତର ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ତଥା ରାଜ୍ୟ ସୂଚନା ଆୟୋଗର କ୍ଷମତା ଭିନ୍ନ ଭିନ୍ନ ଏବଂ ଏହାକୁ ତଦନୁଯାୟୀ ବିବେଚନା କରାଯିବା ଆବଶ୍ୟକ । କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଏହି ସଂଶୋଧନ ଅଣାଯାଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରି ଦେଇଥିଲେ । ଆରଟିଆଇକୁ ବ୍ୟବସ୍ଥିତ କରିବାରେ ଏହା ସହାୟକ ହେବ ବୋଲି ସେ କହିଥିଲେ । ଆରଟିଆଇ ଆଇନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ସେ ଆଶ୍ୱାସନା ଦେଇଥିଲେ ।

ଜୁଲାଇ ୨୨ ତାରିଖରେ ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ ଲୋକସଭାରେ ଗୃହୀତ ହୋଇଥିଲା । ଏହି ସଂଶୋଧନରେ ସୂଚନା ଅଧିକାର ଆଇନ, ୨୦୦୫ରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହା ମଧ୍ୟରେ ରହିଛି ମୁଖ୍ୟ ସୂଚନା ଆୟୁକ୍ତ, ସୂଚନା ଆୟୁକ୍ତ, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ସୂଚନା ଆୟୁକ୍ତମାନଙ୍କ କାର୍ଯ୍ୟକାଳ, ଦରମା, ଭତା ଏବଂ ସେବାର ଅନ୍ୟ ନିୟମ ଓ ସର୍ତାବଳୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ନିୟମ ଅନୁଯାୟୀ ହେବ ।

Leave A Reply

Your email address will not be published.