Latest Odisha News

BREAKING NEWS

‘ଦୋଷୀ ସାରା ଜୀବନ ଜେଲରେ ରହିବେ’- ଏପରି ଦଣ୍ଡ ଶୁଣାଇବାର କ୍ଷମତା ଟ୍ରାଏଲ୍ କୋର୍ଟଙ୍କର ନାହିଁ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜୀବନ କାରାଦଣ୍ଡ ନିୟମକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କୌଣସି ହତ୍ୟା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସମୟରେ, ସେସନ୍ସ କୋର୍ଟ ବା ଟ୍ରାଏଲ୍ କୋର୍ଟ ଏପରି ନିର୍ଦ୍ଦେଶ ଦେଇପାରିବେ ନାହିଁ ଯେ ଦୋଷୀ ବ୍ୟକ୍ତି ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କେବଳ ଜେଲରେ ହିଁ ରହିବେ ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ଜଷ୍ଟିସ୍ ବିପୁଳ ଏମ୍. ପଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ନିଜ ରାୟରେ ଦର୍ଶାଇଛନ୍ତି ଯେ, ସାଧାରଣତଃ ଆଜୀବନ କାରାଦଣ୍ଡର ଅର୍ଥ ଦୋଷୀର ବାକି ଜୀବନ ଜେଲରେ କଟିବା ବୋଲି ଧରାଯାଏ । କିନ୍ତୁ କ୍ରିମିନାଲ୍ ପ୍ରୋସିଜିଓର କୋର୍ଡ ଅନୁଯାୟୀ ଆଇନରେ ଥିବା ସଜା କୋହଳ କିମ୍ବା ସଜା ପରିବର୍ତ୍ତନ ପ୍ରକ୍ରିୟାକୁ ସେସନ୍ସ କୋର୍ଟ କେବେହେଲେ ନିଜ ତରଫରୁ ସୀମିତ ବା ବାରଣ କରିପାରିବେ ନାହିଁ । ବିନା କୌଣସି ରିହାତିରେ ଦୋଷୀକୁ ଆଜୀବନ ଜେଲରେ ରଖିବା ଭଳି ସ୍ୱତନ୍ତ୍ର ବର୍ଗର ଦଣ୍ଡ ଶୁଣାଇବାର କ୍ଷମତା କେବଳ ଦେଶର ସାମ୍ବିଧାନିକ ନ୍ୟାୟାଳୟ ଯଥା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମାନଙ୍କ ପାଖରେ ରହିଛି, ତଳ କୋର୍ଟଙ୍କ ପାଖରେ ନୁହେଁ ।

ରାଜ୍ୟ ସରକାରଙ୍କ ପାଖରେ ଥିବା ସଜା କୋହଳ କରିବାର ଅଧିକାରକୁ ତଳ କୋର୍ଟ ଛଡ଼ାଇ ପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏହି ନିଷ୍ପତ୍ତି ଆସିବା ପଛରେ ଏକ ପୁରୁଣା ହତ୍ୟାକାଣ୍ଡ ମାମଲା ଜଡ଼ିତ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୪ ମସିହାରେ ଏକ ହତ୍ୟା ମାମଲାରେ ସେସନ୍ସ କୋର୍ଟ ଦୁଇ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ‘ବାକି ଜୀବନ ଜେଲରେ ବିତାଇବାକୁ’ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୨ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଧ୍ୟ ଉକ୍ତ ରାୟକୁ କାଏମ୍ ରଖିଥିଲେ । ତେବେ ଦୋଷୀମାନେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଦୋଷୀମାନଙ୍କର ହତ୍ୟା ଅପରାଧକୁ କାଏମ୍ ରଖିଥିଲେ ସୁଦ୍ଧା, ଟ୍ରାଏଲ୍ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଜୀବନ କାରାବରଣ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି ।

ଟ୍ରାଏଲ୍ କୋର୍ଟଙ୍କ ରାୟକୁ ବଦଳାଇ ସୁପ୍ରିମକୋର୍ଟ ଉକ୍ତ ଦୁଇ ଦୋଷୀଙ୍କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ତେବେ ଏହି ୨୫ ବର୍ଷ ସମୟସୀମା ମଧ୍ୟରେ ସେମାନଙ୍କୁ ଆଇନଗତ ସଜା କୋହଳର କୌଣସି ଲାଭ ମିଳିବ ନାହିଁ ବୋଲି କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.