Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଘଟଣା: ଅଭିଯୁକ୍ତ ପୋଲିସ ନିଲମ୍ବିତ ହେଲେ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭିତରେ ଜଣେ ନାବାଳିକାକୁ ଶନିବାର ଦିନ ଅସଦାଚରଣ କରିଥିବା ଅଭିଯୋଗରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଅଭିଯୁକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

ପୁରୀ ଶ୍ରୀମନ୍ଦିର ପରିସର ମଧ୍ୟରେ ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତିକରି ଛୁକେଶ ମେହେର ନାମକ ପୋଲିସ କନେଷ୍ଟବଳଙ୍କୁ ସିଂହଦ୍ୱାର ପୋଲିସ ଗିରଫ କରିଥିଲା ।

ମିଳିଥିବା ସୂଚନାନୁଯାୟୀ, ଯାଜପୁରର ଜଣେ ନାବାଳିକା ତାଙ୍କ ପରିବାରବର୍ଗ ତଥା ସମ୍ପର୍କୀୟଙ୍କ ସହିତ ଶ୍ରୀମନ୍ଦିରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଝିଅଟିର ପରିବାର ଲୋକେ ମନ୍ଦିରର ବାହାରକାଠ ନିକଟରେ ତାକୁ ଅପେକ୍ଷା କରି ରହିଥିବା ସମୟରେ, ଅଭିଯୁକ୍ତ କନେଷ୍ଟବଳ ଜଣକ ସେମାନଙ୍କୁ ଭିତରକାଠ ଭିତରକୁ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବାକୁ ପ୍ରବର୍ତ୍ତାଇଥିଲେ । ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରାଇଦେବା ବାହାନାରେ ପୋଲିସ କନେଷ୍ଟବଳ ଜଣକ ଛୋଟ ଝିଅଟି ସହିତ ଅସଦାଚରଣ କରିଥିବାର ଝିଅଟି ଅଭିଯୋଗ କରିଥିଲେ । ପୋଲିସ କନେଷ୍ଟବଳଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା କଥା ନାବାଳିକାଟି ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ତୁରନ୍ତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣା ଅନେକ ପୋଲିସ କର୍ମଚାରୀ ତଥା ଆସିଷ୍ଟାଣ୍ଟ ପୋଲିସ ସବ-ଇନିସପେକ୍ଟରଙ୍କ ଉପସ୍ଥିତିରେ ମନ୍ଦିର ପରିସର ମଧ୍ୟରେ ଘଟିଥିବାର ସୂଚନା ହସ୍ତଗତ ହୋଇଛି ।

ଏହି ଘଟଣାର ଅଭିଯୋଗ ପାଇ ସିଂହଦ୍ୱାର ପୋଲିସ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲେ ଯେ, ଛୁୁକେଶ ମେହର ନାମକ କନେଷ୍ଟବଳ ଜଣକ ଦୋଷୀ ଅଟନ୍ତି । ପରେ ପୁରୀ ଏସପିଙ୍କ ଦ୍ୱାରା ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।

Leave A Reply

Your email address will not be published.