Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ସରକାର ପ୍ରାଥମିକ ସୂଚୀରେ ଅନ୍ତଭୃକ୍ତ କରିବା ଜରୁରୀ: ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କାର୍ଯ୍ୟକୁ ସରକାର ତାଙ୍କର ଯୋଜନା ସୂଚୀକ୍ରମରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶନିବାର ଦିନ କହିଛନ୍ତି ।

ଏଠାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଗଜପତି ମହାରାଜା କହିଛନ୍ତି, ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ଘଟିଥିବା ଘଟଣା ଲାଗି ସରକାରଙ୍କୁ ସମାଲୋଚନା କରିଛନ୍ତି ।

“ରାଜ୍ୟରେ ଥିବା ବର୍ତ୍ତନମାନର ସରକାର ଶ୍ରୀମନ୍ଦିରରେ ଘଟୁଥିବା ସମସ୍ତ ପ୍ରକାର ବିଶୃଙ୍ଖଳା ଲାଗି ନିଜକୁ ଦାୟୀ କରିବା ଆବଶ୍ୟକ । ଏହି ସରକାର ଧର୍ମରକ୍ଷାକୁ ନିଜର ଏକ ଦାୟିତ୍ୱ ବୋଲି ହୃଦୟଙ୍ଗମ କରୁନାହାନ୍ତି । ଯଦି ଏହିପରି ଘଟଣା ଗୁଡ଼ିଏ ଶ୍ରୀମନ୍ଦିର ମଧ୍ୟରେ ବାରମ୍ବାର ଘଟିଚାଲେ, ତେବେ ମନ୍ଦିରର ରକ୍ଷା ତଥା ମହାନ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦେବ କିଏ ।”

ଆହୁରି ମଧ୍ୟ ଗଜପତି ମହାରାଜା କହିଛନ୍ତି, ମନ୍ଦିର ପରିଚାଳନା ସହିତ ସରକାର ସଂପୃକ୍ତ ରହିଛନ୍ତି । ତେବେ ୧୯୬୦ ମସିହା ପର୍ଯ୍ୟନ୍ତ ପରିଚାଳନା ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ ରହିଥିଲା । “ ଗଜପତି ମହାରାଜାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ପରିଚାଳନାଗତ ଦୋଷ ଦୃଟି ତଥା ବିଶୃଙ୍ଖଳା ଉପୁଜିନଥିଲା । ସେମାନେ ସମ୍ପୂର୍ଣ୍ଣ ଭାବେ ଠାକୁରଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖୁଥିଲେ । ବର୍ତ୍ତମାନ ସମୟରେ ଲାଗୁଛି ଏହାର ସମୃଦ୍ଧ ପରମ୍ପରାକୁ ନିଃଶେଷ କରିଦେବାକୁ ଚେଷ୍ଟା ଚାଲିଛି” ।

ତେବେ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ସମ୍ପର୍କରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି, ପ୍ରଶାସନ ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଅକ୍ଟୋବର ୩ ତାରିଖରେ ଘଟିଥିବା ବିଶୃଙ୍ଖଳା ଯୋଗୁଁ ପୁରୀ ଏସପିଙ୍କ ବଦଳି ତଥା ଏଥିରେ ସଂପୃକ୍ତ ରହିଥିବା କିଛି ସେବାୟତଙ୍କ ନାମରେ ଥିବା ଅଭିଯୋଗ ଉଠାଇ ନେବାର ଦାବି ପରି ପ୍ରଶ୍ନର ଉତ୍ତରେରେ ସେ କହିଛନ୍ତି, ସେବାୟତମାନଙ୍କ ଦ୍ୱାରା ହୋଇଥିବା ଏସବୁ ଦାବୀ ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ଏପରି ବିଶୃଙ୍ଖଳା ଭବିଷ୍ୟତରେ ନକରିବାକୁ ସେବାୟତ ମାନଙ୍କୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

“ଯେହେତୁ ଶ୍ରୀଜୀଉମାନଙ୍କ ସେବା ସେବାୟତଙ୍କ ପ୍ରଥମ ଦାୟିତ୍ୱ ଏବଂ ସେମାନଙ୍କ ହାତରେ ସମ୍ପୂର୍ଣ୍ଣଭାବେ ସେବାକାର୍ଯ୍ୟ ନ୍ୟସ୍ତ ରହିଛି, ତେଣୁକରି ସେମାନେ ନିଷ୍ଠାର ସହିତ ଠାକୁରଙ୍କ ସେବାକାର୍ଯ୍ୟ କାରିବା ଆବଶ୍ୟକ । କିଛି ସେବାୟତଙ୍କ ଏପରି ବିଶୃଙ୍ଖଳିତ ଆଚରଣ ସମ୍ପର୍କରେ ଛତିଶା ନିଯୋଗ ତଥା ମନ୍ଦିର ପରିଚାଳନା ନିକଟରେ ଏକ କମିଟି ବୈଠକରେ ଆଲୋଚନା କରାଯିବ,”ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ ଥିଲେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଆମେ ଏ ବିଷୟରେ ପୂର୍ବରୁ ଜାଣିନଥିଲୁ” ।

Leave A Reply

Your email address will not be published.