Latest Odisha News

ନଟିଆ ଦେଲା କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି । ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି ଭିଡିଓ ତିଆରି ହେଉଛି ତ କେଉଁଠି ସଙ୍ଗୀତ ପ୍ରସ୍ତୁତ ହୋଇଛି । ତେବେ ଏସବୁ ଭିତରେ କମେଡି ମାଷ୍ଟର ନଟିଆ ବି ପଛରେ ନାହିଁ । ନଟିଆ ନିଜ ଭିଡିଓ ‘କରୋନା ସହ ଲଢିବା’ ମାଧ୍ୟମରେ ପିଲାଠୁ ବଡ ସମସ୍ତଙ୍କୁ ସଚେତନ କରୁଛି । ରବିବାର ୟୁଟ୍ୟୁବରେ ଅପଲୋଡ ହୋଇଥିବା ଏହି ଭିଡିଓକୁ ୨୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ଭିଡିଓକୁ ଟ୍ୱିଟ୍ କରାଯାଇଛି ।

କରୋନା ପାଇଁ ସରକାର ଯେତେ ଯାହା କଲେ ବି ଆମେ କିପରି ସଚେତନ ହେବା ସେ ନେଇ ଭିଡିଓରେ ନଟିଆ କହୁଛି । ଏଥି ସାମାଜିକ ଦୂରତ୍ୱ ରକ୍ଷା କରିବା, ନିଜେ କିପରି ପରିଷ୍କାର ରହିବ, ବିଦେଶରୁ ଆସୁଥିବା ଲୋକ ଘରେ ଅଲଗା ଭାବେ ସଙ୍ଗରୋଧ ବ୍ୟବସ୍ଥାରେ ରହିବାର ଆବଶ୍ୟକତା ସମ୍ପର୍କରେ ଏହି ଭିଡିଓରେ ଦର୍ଶାଯାଇଛି । ଏଥି ସହ ଗୋଲି ସାର କେଉଁମାନଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ଏବଂ କାହା ପାଇଁ ଆବଶ୍ୟକ ନାହିଁ ସେ ନେଇ ଭିଡିଓରେ ନଟିଆ ତା ସାଙ୍ଗ ଗାଣ୍ଡୁକୁ ବୁଝାଉଥିବାର ଦୃଶ୍ୟ ରହିଛି ।

ସୂଚନାଯୋଗ୍ୟ ଯେ ନଟିଆ କାର୍ଟୁନ ଚରିତ୍ରକୁ ନେଇ ପିଲାଠାରୁ ବୁଢା ଯାଏଁ ବେଶ୍ କ୍ରେଜ ରହିଛି । ତେଣୁ ନଟିଆର ସଚେତନତା ପ୍ରଭାବ ପକାଇବ ବୋଲି ଆଶା ରହିଛି । ଏହା ପୂର୍ବରୁ ଅନ୍ୟ ଏକ ଏପିସୋଡରେ କରୋନା ସଂକ୍ରମଣ ତଥା ଏ ନେଇ ସତର୍କତାମୂଳକ ଉପାୟ ସମ୍ପର୍କରେ ଗୋଲି ସାର କ୍ଲାସରେ ନଟିଆ ଓ ସହପାଠୀମାନଙ୍କୁ ବୁଝାଉଥିବାର ଏକ ଭିଡିଓକୁ ୟୁଟ୍ୟୁବରେ ୫୩ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ ।

Leave A Reply

Your email address will not be published.