Latest Odisha News

BREAKING NEWS

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା ରାଜ୍ୟ ତଥା ଦେଶ ପାଇଁ ଲଜ୍ଜା ପାଲଟିଛନ୍ତି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିୟ ରଞ୍ଜନ ବେହେରା l

କରୋନା ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ କରିଦେଇଥିବା ବେଳେ ରୋଗୀଙ୍କୁ ଚିକିତ୍ସା ପାଇଁ ସୁଦୂର ଭୁବନେଶ୍ୱର, କଟକ ଯିବାପାଇଁ ସ୍ଥାନୀୟ ଡାକ୍ତରଙ୍କଠାରୁ ପାସ ନେବାପାଇଁ ଡାକ୍ତର ଟଙ୍କା ଦାବୀ କରି ନେବା ଘଟଣା ପୁରୀ ଜିଲ୍ଲା କାକଟପୁର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଯାହାକୁ ନେଇ ସାରା ରାଜ୍ୟରେ ଏହି ଘଟଣାର  ନିନ୍ଦା କରାଯାଉଛି l ଏ ସମ୍ବନ୍ଧୀୟ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଲା ପରେ ଘଟଣା ସାମ୍ନାକୁ ଆସିଛି l

ଏନେଇ ଅଭିଯୋଗକାରୀ ଜଣକ ମଧ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗକୁ ଅବଗତ କରିଛନ୍ତି ।

ଜରୁରୀକାଳୀନ ପାସ ଦେବାକୁ ଗରିବ ରୋଗୀଙ୍କୁ ଡାକ୍ତର ଟଙ୍କା ଦାବୀ କରୁଥିବା ଜାଣିବା ପରେ କାକଟପୁରର କିଛି ସାମାଜିକ କର୍ମୀ ଜଣେ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଡାକ୍ତରଖାନା ନେବାପାଇଁ ପାସ ଆଣିବାକୁ ଯାଇଥିବା ବେଳେ ଡାକ୍ତର ବେହେରା ସେମାନଙ୍କୁ ସନ୍ଧ୍ୟାରେ କ୍ଵାଟରକୁ ଆସି ପାସ ନେବାକୁ କହିଥିଲେ ଓ କ୍ଵାଟର ରେ ପାସ ଦେବାକୁ ସିଧା ସଳଖ ଟଙ୍କା ମାଗିଥିଲେ l ସାମାଜିକ କର୍ମୀ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଘଟଣାର ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିବା ପରେ ଘଟଣାଟି ପଦାକୁ ଆସିଛି l ଏପରିକି ଭିଡ଼ିଓରେ ଅନ୍ୟ ଲୋକମାନଙ୍କଠାରୁ ବି ଟଙ୍କା ନେଉଥିବା ସ୍ୱୀକାର କରିଛନ୍ତି ଡାକ୍ତର ଜଣକ l ଏ ସବୁ କ୍ୟାମେରାରେ କଏଦ ହେଲାପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି l
ଏଠାରେ ସୂଚନାଯୋଗ୍ୟ ଯେ ଗତ 8ମାସ ତଳେ ଏଇ ଡାକ୍ତର ବେହେରା ଭୁଲ ମେଡ଼ିସିନ ଦେଇଥିବା ଯୋଗୁଁ ଗୋଟିଏ ମାସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରେ ହଜାର ହଜାର ଜନସାଧାରଣ ରାଜରାସ୍ତାକୁ ଓଲ୍ହାଇ ପ୍ରତିବାଦ କରିବାରୁ କାକଟପୁର ବିଧାୟକ ତଥା ରାଜ୍ୟ ଯୁବ ବ୍ୟାପାର, କ୍ରୀଡା ତଥା ଆଇ ଟି ମନ୍ତ୍ରୀ ତୁଷାରକାନ୍ତି ବେହେରା , ତତ୍କାଳୀନ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଉପ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଆସି ଲୋକଙ୍କୁ ବୁଝାସୁଝା କରି ଡାକ୍ତରଙ୍କୁ କାକଟପୁର ମେଡିକାଲରୁ ବିଦା କରିଥିଲେ ଓ କାକଟପୁର ଡାକ୍ତରଖାନାକୁ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦେବାପାଇଁ ପ୍ରତିଶୃତି ଦେବା ପରେ ଲୋକମାନେ ଶାନ୍ତ ହୋଇଥିଲେ l କିନ୍ତୁ ଆଜି ପର୍ଯ୍ୟନ୍ତ ସବୁ ପ୍ରତିଶୃତି ଓଲଟା ଦେଖାଯାଉଛି l କାକଟପୁର ଡାକ୍ତରଖାନା ରେ ସାଧାରଣ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ରୋଗୀଙ୍କ ପାଇଁ ଶୌଚାଳୟ ସୁବିଧା ନଥିଲା ବେଳେ କାହା ପୃଷ୍ଠପୋଷକତାରେ 6ମାସ ନପୂରୁଣୁ ପୁଣି ସେଇ ଡାକ୍ତର ବେହେରାଙ୍କୁ କେଉଁ କାରଣରୁ ପୁଣି କାକଟପୁର ଅଣାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l
ଏବେ ପୁଣି ସେହି ଡାକ୍ତର କରୋନା ବିପତ୍ତି ସମୟରେ ଲାଞ୍ଚ ନେଇ ଗରିବ ଲୋକଙ୍କୁ ଶୋଷଣ କରୁଥିବା  ଖବର ପ୍ରଚାର ହେଲା ପରେ ସବୁଆଡୁ ଏହାକୁ ନିନ୍ଦା କରାଯିବା ସହ ଏହି ଲାଞ୍ଚଖୋର ଡାକ୍ତରଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବୀ ହେଉଛି l ଏ ସମ୍ବନ୍ଧରେ ପୀଡିତ ଜଣକ ସିଧାସଳଖ ମୁଖ୍ୟମନ୍ତ୍ରୀ, 5ଟି  ତଥା  ପୁରୀ ଜିଲ୍ଲାପାଳ,ଏସ ପି, ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ  ରାଜ୍ୟ ଭିଜିଲାନ୍ସ କମିଶନଙ୍କୁ  ଟୁଇଟ ଯୋଗେ ଅଭିଯୋଗ କରିଛନ୍ତି l ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ  ସାମାଜିକ କର୍ମୀମାନେ ରାଜରାସ୍ତାରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛି କାକଟପୁର ୟୁଥ ମାସ ସଂଗଠନ l

 

Leave A Reply

Your email address will not be published.