Latest Odisha News

BREAKING NEWS

କରୋନା ଆତଙ୍କ: ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷିତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ନିମନ୍ତେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ୧୯୫୫ ଅନୁଯାୟୀ ମାସ୍କ ( ୨ ପ୍ଲାଇ ଏବଂ ୩ ପ୍ଲାଇ) ସର୍ଜିକାଲ ମାସ୍କ, ଏନ୍‌-୯୫ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପତ୍ର ଲେଖାଯାଇଛି । ଜିଲ୍ଲାମାନଙ୍କରେ ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏନ୍‌ଫୋର୍‌ସ୍‌ମେଣ୍ଟ ଅଧିକାରୀଙ୍କୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ଏନ୍‌ଫୋର୍‌ସ୍‌ମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧତା ଓ ବିତରଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କୁହାଯାଇଛି । ଏହି ନିର୍ଦ୍ଦେଶନାମା ୨୦୨୦ ମସିହା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ବେଆଇନ୍ ଭାବେ ମହଜୁଦ୍ ଏବଂ କଳାବଜାରୀ ରୋକିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯାଂଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.