Latest Odisha News

BREAKING NEWS

ଭଦ୍ରକ ସହର ସମ୍ପୂର୍ଣ୍ଣ ଲକ୍‌-ଡାଉନ୍‌; ଜନତା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ

ଭଦ୍ରକ: ସାରା ବିଶ୍ୱକୁ ଆତଙ୍କିତ ଅବସ୍ଥାରେ ରଖିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନକୁ ସଫଳତାର ସହିତ ପାଳନ କରୁଛନ୍ତି ଭଦ୍ରକ ସହରବାସୀ ।

ଆଜି ଭଦ୍ରକ ସହରରେ ଏହି ଜନତା କର୍ଫ୍ୟୁ ସହିତ ମୁଖ୍ୟମନ୍ତ୍ରୀ ଦେଇଥିବା ଲକ୍ ଡାଉନ ସମ୍ପୂର୍ଣ୍ଣ ରୂପେ ପାଳନ ହୋଇଥିବା ଦେଖିବାକୁ ମିଳିଛି । ଭଦ୍ରକ ସହରବାସୀ ସ୍ୱତଃପ୍ରବୃତ୍ତଭାବେ ଏହି ବନ୍ଦକୁ ପାଳନ କରିଛନ୍ତି । ଭଦ୍ରକରେ ସମସ୍ତ ରାସ୍ତାଘାଟ, ବଜାର, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ, ବିଭିନ୍ନ ବେସରକାରୀ ସଂସ୍ଥା, ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

ଭଦ୍ରକ ସହରର ବନ୍ତଛକ ବସଷ୍ଟାଣ୍ଡ, ଏବଂ ନୂଆ ବସଷ୍ଟାଣ୍ଡରେ କୌଣସି ବସ ନଥିବା ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଚାନ୍ଦବାଲି ବାଇପାସ ଠାରୁ ଚରମ୍ପା ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ଥିବା ସମସ୍ତ ଦୋକାନ ବନ୍ଦ ରହିଛି ।

ସହରର ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥ୍‌ଳୀ କଚେରୀ ବଜାରଠୁ ଆରମ୍ଭ କରି ଓଟି ମାର୍କେଟ ପର୍ଯ୍ୟନ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇ ଖାଁ ଖାଁ ଲାଗୁଛି ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଦେଖିବାକୁ ମିଳିଥିବା ବେଳେ ସେଠାରେ ମଧ୍ୟ ବହୁତ କମ୍ ସଂଖ୍ୟାରେ ଜନସାଧାରଣଙ୍କୁ ଦେଖିବାକୁ ମିଳିଛି । ସହରରେ ଥିବା କେତେକ ଔଷଧ ଦୋକାନକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଦୋକାନ, ସପିଂ ମଲ୍ ଏବଂ ଗୋଦାମ ବନ୍ଦ ରହିଛି ।

Leave A Reply

Your email address will not be published.